ମୟୁରଭଞ୍ଜ: ମୟୁରଭଞ୍ଜ ଉଦଳାରେ ଏକ ଘରୋଇ ବିଦ୍ୟାଳୟର ମନମାନି ଦେଖିବାକୁ ମିଳିଛି । ବିଦ୍ୟାଳୟ ଛାଡ଼ୁଥିବା ପିଲାକୁ ଟିସି ନ ଦେଇ ହଇରାଣ କରାଯାଉଛି । ଟିସି ନେବାକୁ ହେଲେ ୧୦ ହଜାର ଟଙ୍କା ଦେବାକୁ ବାଧ୍ୟ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଶେଷରେ କୌଣସି ଉପାୟ ନ ପାଇଁ ଉଦଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଙ୍କ ଅଭିଭାବକ । ଉଦଳା ଦିବ୍ୟସିଂପୁର ସାଇ ସାଧନା ଶିଶୁ ବିଦ୍ୟାମନ୍ଦିର ବିରୋଧରେ ଆସିଛି ଏଭଳି ଅଭିଯୋଗ ।
ଅଭିଭାବକ ଲାଲମୋହନ କିସ୍କୁଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଶୁଭଙ୍କର କିସ୍କୁ ଦିବ୍ୟସିଂପୁର ସାଇ ସାଧନା ଶିଶୁ ବିଦ୍ୟାଳୟରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପଢିଥିଲେ । କିନ୍ତୁ ଅର୍ଥ ଅଭାବ ଯୋଗୁଁ ବାପା ସେଠାରେ ଆଉ ପୁଅକୁ ପଢ଼ାଇବାକୁ ଇଚ୍ଛା ପ୍ରକାଶ କରିନଥିଲେ । ସେଥିପାଇଁ ଷଷ୍ଠ ଶ୍ରେଣୀରେ ସେ ଆଉ ନାମ ଲେଖାଇ ନ ଥିଲେ । ଏ ନେଇ ବିଦ୍ୟାଳୟର ଶିକ୍ଷକଙ୍କୁ ଜଣାଇଦେଇଥିଲେ । ସେଥିପାଇଁ ବକେୟା ଥିବା ୧୩ ହଜାର ଟଙ୍କା ମଧ୍ୟ ବିଦ୍ୟାଳୟରେ ପୈଠ କରିଦେଇଥିଲେ। ଅନ୍ୟ ଏକ ବିଦ୍ୟାଳୟରେ ପିଲାକୁ ପଢ଼ାଇବେ ବୋଲି ସେ ମନସ୍ଥ କରିଥିଲେ । ସେଥିପାଇଁ ବିଦ୍ୟାଳୟରୁ ଟିସି ନେବାକୁ ଆସିଥିବା ବେଳେ ଆଜି କାଲି କହି ତାଙ୍କୁ ଦିନ ଗଡ଼ାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ଏହା ପରେ ଷଷ୍ଠ ଶ୍ରେଣୀରେ ପୁନଃ ନାମ ଦାଖଲ ଏବଂ ତିନି ମାସର ସ୍କୁଲ ଫି ସହିତ ପାଖାପାଖି 10 ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଟଙ୍କା ନ ଦେଲେ ଟିସି ମିଳିବ ନାହିଁ ବୋଲି ରୋକ ଠୋକ୍ ଶୁଣାଇ ଦେଇଥିଲେ । ବିଦ୍ୟାଳୟ ଅଭିଭାବକଙ୍କୁ ନ ଜଣାଇ ନିଜ ଆଡ଼ୁ ପେଡ୍ ଆଡମିସନ୍ ମଧ୍ୟ ଏହାରି ମଧ୍ୟରେ କରିଥିବା ଲାଲମୋହନ ଅଭିଯୋଗ କରିଛନ୍ତି ।
ଶେଷରେ କୌଣସି ଉପାୟ ନ ପାଇ ପିଲାର ଭବିଷ୍ୟତ ପାଇଁ ଉଦଳା ଥାନାର ଦ୍ୱାରସ୍ତ ହୋଇଛନ୍ତି ଅଭିଭାବକ। ପୂର୍ବରୁ ମନା କରିବା ସତ୍ୱେ ଷଷ୍ଠ ଶ୍ରେଣୀରେ ରି ଆଡ଼ମିସନ କରାଇବା ଏବଂ ଜବରଦସ୍ତ ୩ ମାସ ର ସ୍କୁଲ ଫି ମାଗି ଅଭିଭାବକଙ୍କୁ ଶୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ବିଦ୍ୟାଳୟର ସଭାପତି ଦେଇଛନ୍ତି ବିଚିତ୍ର ଜବାବ । କହିଛନ୍ତି ଯଦି ଟଙ୍କା ନ ଦେଇପାରିବେ ତେବେ ସରକାରୀ ସ୍କୁଲରେ ନ ପଢାଇ ଘରୋଇ ସ୍କୁଲରେ ପଢ଼ାଉଥିଲେ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ।