ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ଧରି ଚାଲିଥିବା ଡାକ୍ତର ଆନ୍ଦୋଳନ ଶେଷରେ ସ୍ଥଗିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ସହ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏଶନ (ଓମ୍ସା)ର ପ୍ରତିନିଧିମାନଙ୍କ ଆଲୋଚନା ସଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଡାକ୍ତରମାନେ ଆଜିଠାରୁ ପୁଣି କାର୍ଯ୍ୟରେ ଯୋଗ ଦେବେ ଏବଂ ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବ।
ଓମ୍ସାର ୧୩ ଦଫା ଦାବି ଉପରେ ଗଭୀର ଆଲୋଚନା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟିରେ ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ (ଜିଏ), ଅର୍ଥ ଓ ଆଇନ ବିଭାଗର ସଚିବମାନେ ସଦସ୍ୟ ରହିବେ। ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ ଏବଂ ଡାକ୍ତରମାନଙ୍କ ସମସ୍ତ ଦାବି ଉପରେ ପର୍ଯ୍ୟାୟକ୍ରମେ ଆଲୋଚନା କରାଯିବ।
ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ, ସେବା ସର୍ତ୍ତର ସୁଧାର ଓ ଅନ୍ୟାନ୍ୟ ଦାବି ନେଇ ବୁଧବାରଠାରୁ ଓମ୍ସା ଆନ୍ଦୋଳନ ଆରମ୍ଭ କରିଥିଲା। ସରକାରଙ୍କ ପକ୍ଷରୁ ଦରମା ବନ୍ଦ ଏବଂ ବହିଷ୍କାର ଭଳି କଠୋର ପଦକ୍ଷେପର ସତର୍କବାଣୀ ଦିଆଯାଇଥିଲେ ମଧ୍ୟ ଡାକ୍ତରମାନେ ନିଜ ଦାବିରେ ଅଟଳ ରହିଥିଲେ। ଫଳରେ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଚିକିତ୍ସାରେ ବିଳମ୍ବ, ବ୍ୟବଚ୍ଛେଦ କାର୍ଯ୍ୟ ଅଟକି ରହିବା ଓ ରୋଗୀଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ଆସିବା ପରେ ସ୍ଥିତି ଚିନ୍ତାଜନକ ହୋଇଯାଇଥିଲା।
ଏଭଳି ପରିସ୍ଥିତିରେ ସରକାରଙ୍କ ଉଦ୍ୟମରେ ହୋଇଥିବା ଆଲୋଚନା ସଫଳ ହେବା ସହ ଆନ୍ଦୋଳନ ସ୍ଥଗିତ ହୋଇଛି। ଏହା ଫଳରେ ରାଜ୍ୟର ସ୍ୱାସ୍ଥ୍ୟସେବା ପୁଣି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।