ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଅସ୍ଥିରତା ସମୟରେ ଭାରତରେ ଦେଖା ଦେଇଥିବା ତୈଳ ସଙ୍କଟବେଳେ ଦିଲ୍ଲୀ ସରକାର ୱାର୍କ ଫ୍ରମ୍ ହୋମ୍ ପାଇଁ ଯେଉଁ ନିଷ୍ପତି ନେଇଥିଲେ ତାହା ଉପରେ ରହିତାଦେଶ ଜାରି କରିଛନ୍ତି । ରେଖା ଗୁପ୍ତାଙ୍କ ସରକାର ସପ୍ତାହରେ ତିନି ଦୁଇ ଦିନ ଘରେ ରହି କାମ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି । ଏ ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।
ଏହି ପଦକ୍ଷେପ ସହିତ ଦିଲ୍ଲୀ ସରକାର କାର୍ଯ୍ୟାଳୟ ସମୟ ମଧ୍ୟ ସଂଶୋଧନ କରିଛନ୍ତି। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ଦିଲ୍ଲୀ ସରକାରଙ୍କ କାର୍ଯ୍ୟାଳୟ ସମୟ ଏବେ ସକାଳ ୧୦:୦୦ ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ଚାଲିବ । ଦିଲ୍ଲୀ ମହାନଗର ନିଗମର କାର୍ଯ୍ୟାଳୟ ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ପୂର୍ବପରି ସକାଳ ୮:୩୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ରହିବ । ମଧ୍ୟ ପ୍ରାଚ୍ୟରେ ସ୍ଥିରତା ପରେ ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି ।
ଏହି ନିଷ୍ପତ୍ତି ଦିଲ୍ଲୀ ସରକାରଙ୍କ ଦ୍ୱାରା ପୂର୍ବରୁ କାର୍ଯ୍ୟକାରୀ କରାଯାଇଥିବା ବ୍ୟାପକ କଟକଣା ଏବଂ ଇନ୍ଧନ-ସଞ୍ଚୟ ପଦକ୍ଷେପଗୁଡ଼ିକର ପୁନରାବୃତ୍ତିକୁ ସୂଚିତ କରେ। ମେ ମାସର ପ୍ରାରମ୍ଭରେ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଦୂଷଣ ହ୍ରାସ କରିବା, ଟ୍ରାଫିକ ଭିଡ଼ ଦୂର କରିବା ଏବଂ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଶାସନିକ ପଦକ୍ଷେପର ଏକ ଶୃଙ୍ଖଳା ଆରମ୍ଭ କରିଥିଲେ। ପଶ୍ଚିମ ଏସିଆରେ ସଂଘର୍ଷ ସହିତ ଜଡିତ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଅର୍ଥନୈତିକ ସ୍ଥିରତାକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ପରେ ଏହି ପଦକ୍ଷେପ ନିଆଯାଇଛି।
ବିଶ୍ୱ ସଙ୍କଟକୁ ଦୃଷ୍ଟିରେ ଦିଲ୍ଲୀ ସରକାର ସପ୍ତାହରେ ଦୁଇ ଦିନ ଘରୁ କାମ, ସୋମବାରରେ ମେଟ୍ରୋ ଯାତ୍ରା, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ସାର୍ବଜନୀନ ପରିବହନ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ । ସରକାର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସମସ୍ତ ସରକାରୀ ବିଦେଶ ଗସ୍ତ ଉପରେ ମଧ୍ୟ ରହିତାଦେଶ ଜାରି କରିଥିଲେ । ସାପ୍ତହରେ ଗୋଟିଏ ଗାଡ଼ି ନ ଚଳାଇବାକୁ ଅନୁରୋଧ କରିଥିଲେ । ସେହିପରି ଅନଲାଇନ୍ ଶୁଣାଣି ଏବଂ ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।