ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପୁରୀରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ପରିବେଶ ଯୋଗାଇବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ କଡ଼ା ପଦକ୍ଷେପ ନେଇଛି।
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପୁରୀ ସର୍କିଟ୍ ହାଉସରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେ କହିଥିଲେ, ରଥଯାତ୍ରାରେ ଆସୁଥିବା ଭକ୍ତମାନଙ୍କ ପାଇଁ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସୁରକ୍ଷା ଓ ସମସ୍ତ ମୌଳିକ ସୁବିଧା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା।
ବୈଠକରେ ସ୍ୱଚ୍ଛତା, ପାନୀୟ ଜଳ, ଶୌଚାଳୟ, ପାର୍କିଂ, ରାସ୍ତା ଆଲୋକ ବ୍ୟବସ୍ଥା ଏବଂ ଜନସ୍ୱାସ୍ଥ୍ୟ ସେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ରଥଯାତ୍ରା ସମୟରେ ୨୪ ଘଣ୍ଟିଆ ନଜରଦାରି ସହ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଶାସନ ପକ୍ଷରୁ ସହରର ସମସ୍ତ ପ୍ରମୁଖ ଡ୍ରେନ୍ ସଫେଇ ଓ ପଙ୍କ ଉଠା କାମ ଶେଷ କରାଯାଇଛି। ବଡ଼ଦାଣ୍ଡ ପାର୍ଶ୍ୱରେ ଥିବା ଡ୍ରେନ୍ଗୁଡ଼ିକ ମଧ୍ୟ ସଫା କରାଯାଇଛି। ଯାନବାହନ ପାର୍କିଂ ପାଇଁ ୨୪ଟି ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ସହରର ରାସ୍ତା ମରାମତି କାମ ମଧ୍ୟ ଶେଷ ହୋଇଛି।
ବର୍ଷା ଯୋଗୁଁ ଜଳ ଜମିବା ଆଶଙ୍କା ଥିବା ୩୦ଟି ସ୍ଥାନ ଚିହ୍ନଟ କରାଯାଇ ସେଠାରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ବସାଯାଇଛି। ଏହାସହ ସହରରେ ବୁଲା ଗୋରୁ ନିୟନ୍ତ୍ରଣ ଏବଂ ସ୍ୱଚ୍ଛତା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ପୌର ନିଗମ ସୂଚନା ଦେଇଛି।
ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କେବଳ ଶୁଖିଲା ଖାଦ୍ୟ ବଣ୍ଟନକୁ ଅନୁମତି ମିଳିବ। ରନ୍ଧା ଖାଦ୍ୟ ବଣ୍ଟନ ଉପରେ କଟକଣା ଜାରି ରହିବ। ଭକ୍ତମାନଙ୍କ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ କେନ୍ଦ୍ର, ପାନୀୟ ଜଳ, ଚିକିତ୍ସା ସେବା ଓ ଅନ୍ୟାନ୍ୟ ଜରୁରୀ ସୁବିଧା ସମ୍ପର୍କିତ ସୂଚନା ଫଳକ ଲଗାଯିବ। ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ସମସ୍ତ ବିଭାଗ ମିଳିତ ଭାବେ କାମ କରୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।