କେନ୍ଦୁଝର ସହର ଥାନା ଅଧୀନ ସରସ ଗାଁରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ମୃତ ଶ୍ରମିକ ହେଲେ ପଶ୍ଚିମବଙ୍ଗର ଜଙ୍ଗିପୁର ଗାଁର ବାବୁର ଶେଖ। ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ନାମ ମିତୁ ଶେଖ। ଉଭୟେ କାମ କରିବା ପାଇଁ କେନ୍ଦୁଝରକୁ ଆସିଥିଲେ।
ସୂଚନା ଅନୁଯାୟୀ, ଶନିବାର ଘରର ଛାତ ପକାଇବା କାମ ଚାଲିଥିବା ବେଳେ ହଠାତ୍ ନିର୍ମାଣାଧୀନ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ଦୁଇ ଶ୍ରମିକ ଚାପି ହୋଇଯାଇଥିଲେ। ସେଠାରେ ଥିବା ଅନ୍ୟ ଶ୍ରମିକ ଓ ସ୍ଥାନୀୟ ଲୋକମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ହସ୍ପିଟାଲରେ ଡାକ୍ତର ବାବୁର ଶେଖଙ୍କୁ ମୃତ ଘୋଷଣା କରିଥିବାବେଳେ ମିତୁ ଶେଖଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଘଟଣା ସମୟରେ ଠିକାଦାର ଏସ୍.କେ. ସମିମ୍ ନିର୍ମାଣ କାମର ତଦାରଖ କରୁଥିଲେ। ଖବର ପାଇ କେନ୍ଦୁଝର ସହର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରେ ନିର୍ମାଣ କାର୍ଯ୍ୟରେ ଅବହେଳା କିମ୍ବା କାନ୍ଥର ଦୁର୍ବଳ ଗଠନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।