ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ଦୌରାତ୍ମ୍ୟକୁ ନେଇ ପୁଣି ଉଠିଛି ସୁରକ୍ଷା ପ୍ରଶ୍ନ। ଆଜି ଗୋଟିଏ ଦିନରେ ୨ଟି ଅପରାଧ ଦେଖିବାକୁ ମିଳିଛି। ଗୋଟିଏ ପଟେ ବୁଦ୍ଧ ବିହାରରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ଅନ୍ୟପଟେ ମର୍ଣ୍ଣିଂ ୱାକ୍ ସମୟରେ ଜଣେ ଯୁବତୀଙ୍କୁ ଯୌନ ଉତ୍ପୀଡ଼ନ ଉଦ୍ୟମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ଗତକାଲି ରାତି ପ୍ରାୟ ୯ଟା ୨୫ ମିନିଟ୍ରେ ବୁଦ୍ଧ ବିହାର ବ୍ଲକ-୧୧ ନିକଟରେ ସୁଭମ ସ୍ୱରାଜ ଜଣେ ସାଙ୍ଗଙ୍କ ସହ କଥା ହେଉଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପହଞ୍ଚିଥିଲେ। ସେମାନେ ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରରେ ଆକ୍ରମଣ କରି ସୁଭମଙ୍କୁ ଗୁରୁତର ଆହତ କରିଥିଲେ। ଘଟଣା ପରେ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଆରମ୍ଭ କରି ଦ୍ରୁତ କାର୍ଯ୍ୟାନୁଷ୍ଠାନ ନେଇ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବାଇକ, ଦୁଇଟି ସ୍କୁଟି, ଗୋଟିଏ ଖଣ୍ଡା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଏହାରି ମଧ୍ୟରେ ନୟାପଲ୍ଲୀ ଥାନା ଅଞ୍ଚଳରୁ ଆସିଛି ଆଉ ଏକ ଚିନ୍ତାଜନକ ଘଟଣା। ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ଯୁବତୀଙ୍କ ସହ ଜଣେ ଅଜଣା ବ୍ୟକ୍ତି ଅଶ୍ଳୀଳ ବ୍ୟବହାର କରିବା ସହ ଯୌନ ଉତ୍ପୀଡ଼ନ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ରାଜଧାନୀରେ ଗୋଟିଏ ଦିନରେ ଘଟିଥିବା ଏହି ଦୁଇଟି ଘଟଣା ନାଗରିକଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପାଟ୍ରୋଲିଂ ଓ କଡ଼ା ନଜରଦାରି ବଢ଼ାଇବାକୁ ସାଧାରଣରେ ଦାବି ହେଉଛି।