କଟକ: ସାଲେପୁର ଥାନା ଅନ୍ତର୍ଗତ ସିଶୁଆ ବାହାବଳପୁରରେ ମିଠାରେ ବିଷ ଦେଇ ଶିଶୁକୁ ହତ୍ୟା କରିବା ମାମଲାରେ ପୋଲିସ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପିଲାର ମୃତ୍ୟୁକାଳୀନ ବୟାନ, ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସାଲେପୁର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖିବା ପରେ ଜଣଙ୍କୁ ଗିରଫ କରାଯାଇଛି ।
ଗତ ମେ ମାସ ୨୨ ତାରିଖରେ କଟକ ଜିଲ୍ଲା ସାଲେପୁର ବ୍ଲକର ସିଶୁଆ-ବାହାବଳପୁର ଗ୍ରାମର ରୋହିତ ମଲ୍ଲିକଙ୍କ ୫ ବର୍ଷର ପୁଅ ଦିବ୍ୟରଞ୍ଜନ ମଲ୍ଲିକ ଓରଫ୍ ରିଶି ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା । ଜୁନ 16ରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା । ତେବେ ପଡ଼ୋଶୀ ତାଙ୍କୁ ମିଠା ଖାଇବାକୁ ଦେଇଥିବା ରିଶି ନିଜେ ପରିବାର ଲୋକଙ୍କୁ ମେଡ଼ିକାଲ ବେଡରେ କହିଥିଲେ । ଏହା ପରେ ପରିବାର ସଦସ୍ୟ ସାଲେପୁର ଥାନାରେ ପଡ଼ୋଶୀ ପ୍ରକାଶ କୁମାର ନାୟକଙ୍କ ସମେତ ୫ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ । ପ୍ରକାଶ ହିଁ ମିଠାରେ ବିଷ ଦେଇ ହତ୍ୟା କରିଥିବା ପରିବାର ଲୋକେ କହିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଶିଶୁଙ୍କ ମୃତ୍ୟୁକାଳୀନ ବୟାନ ଆଧାରରେ ପୋଲିସ ଜଣଙ୍କୁ ଗିରଫ କରିଛି । ତେବେ କାହାକୁ ଗିରଫ କରାଯାଇଛି ସେ ନେଇ ସ୍ପଷ୍ଟ ହୋଇନାହିଁ ।