ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଅମୋନିଆ ଗ୍ୟାସ ଲିକ୍ ଘଟଣାରେ ଅସୁସ୍ଥ ହୋଇଥିବା ଆଉ ୧୦ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ସୁସ୍ଥ ହୋଇ ଓଡ଼ିଶାକୁ ଫେରିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗରେ ସେମାନଙ୍କୁ ସୁରକ୍ଷିତ ଭାବେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଅଣାଯାଇଛି।
ଏହି ୧୦ ଜଣ ଶ୍ରମିକଙ୍କ ମଧ୍ୟରୁ ୯ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବା ବେଳେ ଜଣେ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଗ୍ୟାସ ଲିକ୍ ପରେ ସେମାନଙ୍କୁ ତିରୁଭାଲ୍ଲୁର ଏବଂ ଚେନ୍ନାଇର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହେବା ପରେ ଡାକ୍ତର ସେମାନଙ୍କୁ ଡିସଚାର୍ଜ କରିଥିଲେ।
ଭୁବନେଶ୍ୱରରେ ପହଞ୍ଚିବା ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଯାଇଛି। କେନ୍ଦୁଝରର ୯ ଜଣ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଭ୍ୟାନ୍ର ବ୍ୟବସ୍ଥା କରାଯାଇଥିବା ବେଳେ, ଯାଜପୁରର ଶ୍ରମିକଙ୍କୁ ଅଲଗା ଗାଡ଼ିରେ ପଠାଯାଇଛି।ଓଡ଼ିଶା ଶ୍ରମ କମିଶନର ସୋସିଆଲ ମିଡିଆ 'ଏକ୍ସ'ରେ ଏନେଇ ଫୋଟୋ ପୋଷ୍ଟ କରି ସମସ୍ତ ଶ୍ରମିକଙ୍କ ସୁରକ୍ଷିତ ଫେରିବା ସମ୍ପର୍କରେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୨୭ ତାରିଖରେ ଏହି ଘଟଣାରେ ପ୍ରଭାବିତ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଚେନ୍ନାଇରୁ ଓଡ଼ିଶା ଅଣାଯାଇଥିଲା। ରାଜ୍ୟ ସରକାରଙ୍କ ସହାୟତା ଏବଂ ତ୍ୱରିତ ପଦକ୍ଷେପ ଯୋଗୁଁ ସମସ୍ତ ପ୍ରଭାବିତ ଶ୍ରମିକ ସୁରକ୍ଷିତ ଭାବେ ନିଜ ଘରକୁ ଫେରିପାରିଛନ୍ତି।