ନିଶା କାରବାର ବିରୋଧରେ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ। 'ନିଶାମୁକ୍ତ ଓଡ଼ିଶା ଅଭିଯାନ' ଅଧୀନରେ ଜୁଲାଇ ୩ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବତ ହୋଇଥିବା ୧୦୨.୨୨ ମେଟ୍ରିକ ଟନ ଗଞ୍ଜେଇ ଧ୍ୱଂସ କରାଯାଇଛି। ଜାତୀୟ ସ୍ତରରେ ଚାଲିଥିବା ପ୍ରି-ଟ୍ରାଏଲ ଡ୍ରଗ୍ ଡିଷ୍ଟ୍ରକ୍ସନ ସ୍ପେସିଆଲ ଡ୍ରାଇଭ୍ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଚାଲିଛି।
ଏହି ଅଭିଯାନକୁ ରାଜ୍ୟ ଟାସ୍କ ଫୋର୍ସ ଏବଂ ସିଆଇଡି କ୍ରାଇମ ବ୍ରାଞ୍ଚର ତତ୍ତ୍ୱାବଧାନରେ ସଫଳତାର ସହ କାର୍ଯ୍ୟକରାଯାଉଛି। ଗଞ୍ଜେଇ ଧ୍ୱଂସ କରିବାରେ ବୌଦ୍ଧ ଜିଲ୍ଲା ସର୍ବାଧିକ ୩୭,୪୮୪.୮୮୫ କିଲୋଗ୍ରାମ ଗଞ୍ଜେଇ ନଷ୍ଟ କରିଛି। କନ୍ଧମାଳ ୩୪,୨୪୫.୪୩୦ କିଲୋଗ୍ରାମ ଧ୍ୱଂସ କରି ନିଜ ଲକ୍ଷ୍ୟ ପୂରଣ କରିଛି। ଏହାଛଡ଼ା ମାଲକାନଗିରି, ଗଜପତି, କୋରାପୁଟ, ବଲାଙ୍ଗିର, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ଗଞ୍ଜାମ ଭଳି ଜିଲ୍ଲା ମଧ୍ୟ ଏହି ଅଭିଯାନରେ ଉଲ୍ଲେଖନୀୟ ଭୂମିକା ନେଇଛନ୍ତି।
ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଗୋଳ, ଖୋର୍ଦ୍ଧା ଓ ରାଉରକେଲା ମଧ୍ୟ ଗଞ୍ଜେଇ ଧ୍ୱଂସ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏପର୍ଯ୍ୟନ୍ତ କେବଳ ୫,୫୨୮.୮୯୭ କିଲୋଗ୍ରାମ ଗଞ୍ଜେଇ ଧ୍ୱଂସ କରିବା ବାକି ରହିଛି। ଜୁଲାଇ ୧୦ ସୁଦ୍ଧା ସମସ୍ତ ଜିଲ୍ଲାକୁ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ରାଜ୍ୟରେ ନିଶା କାରବାର ଏବଂ ସଙ୍ଗଠିତ ଡ୍ରଗ୍ ନେଟୱର୍କ ବିରୋଧରେ କଠୋର ଅଭିଯାନ ଜାରି ରହିବ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୋଲିସର ଏହି ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ।