ଭୁବନେଶ୍ୱର: ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଆଗକୁ ଆଉ ଏକ ନୂଆ ପାଣିପାଗ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ସକ୍ରିୟ ଥିବା ଓ୍ବେଲ୍ ମାର୍କଡ୍ (ସୁସ୍ପଷ୍ଟ) ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଜୁଲାଇ ୬ (ସୋମବାର) ଠାରୁ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବାକୁ ଥିବାବେଳେ, ପୁଣି ଜୁଲାଇ ୧୧ କିମ୍ବା ୧୨ ଆଡ଼କୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଦ୍ୱାରା ବହୁତ ବଡ଼ ବର୍ଷା ନହେଲେ ମଧ୍ୟ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ପାଇପାରେ ।
ବର୍ତ୍ତମାନର ଏହି ସୁସ୍ପଷ୍ଟ ଲଘୁଚାପଟି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଦେଇ ସ୍ଥଳଭାଗ ଅତିକ୍ରମ କରିବ । ଏହାପରେ ଏହା ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶ ଓ ଉତ୍ତର ମଧ୍ୟପ୍ରଦେଶ ଆଡ଼କୁ ଗତି କରିବାର ସମ୍ଭାବନା ଥିବାରୁ, ସୋମବାର ଠାରୁ ଓଡ଼ିଶାରେ ବର୍ଷାର ପ୍ରକୋପ କମିପାରେ । ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ।
ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ଆଲର୍ଟ
ରବିବାର ରାଜ୍ୟର ଅଧିକାଂଶ ଭାଗରେ ବର୍ଷା ହେବାକୁ ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ନିମ୍ନଲିଖିତ ଚେତାବନୀ ଜାରି କରାଯାଇଛି। ରେଡ୍ ଆଲର୍ଟ (ପ୍ରବଳରୁ ଅତି ପ୍ରବଳ ବର୍ଷା): ବରଗଡ଼, ସମ୍ବଲପୁର ଓ ନୂଆପଡ଼ା । ଏହି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଅରେଞ୍ଜ ୱାର୍ଣ୍ଣିଂ (ପ୍ରବଳରୁ ଅତି ପ୍ରବଳ ବର୍ଷା): ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ।
ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା): ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ।
ବର୍ଷା ରେକର୍ଡ ଓ ନିଅଣ୍ଟିଆ ସ୍ଥିତି
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୨୪.୮ ମିଲିମିଟର ବର୍ଷା ହୋଇଛି । ଏହି ସମୟରେ ବରଗଡ଼ ଜିଲ୍ଲାର ସୋହେଲା ଅଞ୍ଚଳରେ ସର୍ବାଧିକ ୨୦୨ ମିମି ବର୍ଷା ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ ପ୍ରାୟ ୪୭ ପ୍ରତିଶତ ବର୍ଷା ନିଅଣ୍ଟିଆ ଥିଲା । ମାତ୍ର ଜୁଲାଇ ମାସର ପ୍ରଥମ ୪ ଦିନର ଲଗାଣ ବର୍ଷା ଯୋଗୁଁ ଏହି ନିଅଣ୍ଟିଆ ସ୍ଥିତିରେ ପ୍ରାୟ ୨୯ ପ୍ରତିଶତ ସୁଧାର ଆସିଛି । ତଥାପି, ରାଜ୍ୟର ୧୫ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ ହୋଇଛି ।