କନ୍ଧମାଳ ଜିଲ୍ଲାରେ ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଅଜଣା ଗାଡ଼ି ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ଜୀବନ ଚାଲିଯାଇଛି। ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ ନମ୍ବର ଜାତୀୟ ରାଜପଥର ଖଡ଼ଗ ନଦୀ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ନବରଙ୍ଗପୁର ଥାନା ଅଞ୍ଚଳର ଶୁଭମ ରାଜ ଜେନା, ସୁନୀଲ ଜାନୀ ଏବଂ ଚନ୍ଦନ ସୁନା। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋଟିଏ ମୋଟର ସାଇକେଲରେ ୩ ଜଣ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ସମ୍ମୁଖରୁ ଜୋରରେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ୨୧ ବର୍ଷୀୟ ଶୁଭମ ରାଜ ଜେନାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଆରୋହୀ ସୁନୀଲ ଜାନୀ ଓ ଚନ୍ଦନ ସୁନା ଗୁରୁତର ଭାବେ ଆହତ ହୋଇ ଛଟପଟ ହେଉଥିଲେ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ଗୁରୁତର ଥିବା ସୁନୀଲ ଓ ଚନ୍ଦନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ୩ ଜଣଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ବାଲିଗୁଡ଼ା ପୋଲିସ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।