କଟକ: ଆଜି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ । ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ମଧ୍ୟରୁ ପ୍ରଥମ ପେପର (Paper-I) ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପେପର (Paper-II) ଅପରାହ୍ନ ୨ଟାରୁ ସନ୍ଧ୍ୟା ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୩୧୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିରେ ୯୭ ହଜାର ୧୫୦ ଜଣ ଆଶାୟୀ ଶିକ୍ଷକ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩ ହଜାର ୫୮୪ ଜଣ ପୂର୍ବରୁ କାର୍ଯ୍ୟରତ (In-service) ଶିକ୍ଷକ ଥିବାବେଳେ ବାକି ସମସ୍ତେ ନିୟମିତ (Regular) ପ୍ରାର୍ଥୀ । ୧୫୦ ମାର୍କ ବିଶିଷ୍ଟ ଏହି ପରୀକ୍ଷାଟି ଅଫ୍ଲାଇନ୍ ମାଧ୍ୟମରେ ଓଏମ୍ଆର୍ (OMR) ସିଟ୍ରେ କରାଯାଉଛି । ପରିସଂଖ୍ୟାନ ଅନୁଯାୟୀ, ପେପର-୧ ପାଇଁ ୨୮ ହଜାର ୮୨୧ ଜଣ ଏବଂ ପେପର-୨ ପାଇଁ ସର୍ବାଧିକ ୬୮ ହଜାର ୩୨୯ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି ।
କଡ଼ା ସୁରକ୍ଷା ଓ କମାଣ୍ଡ କଣ୍ଟ୍ରୋଲ୍ ରୁମ୍
ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ କୌଣସି ପ୍ରକାର ଅସଦାଚରଣ ବା କପି ରୋକିବା ପାଇଁ ବୋର୍ଡ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ୩୧୧ଟି ଯାକ କେନ୍ଦ୍ରର ପ୍ରତ୍ୟେକ ପ୍ରକୋଷ୍ଠରେ କ୍ଲୋଜ୍ ସର୍କିଟ୍ (CCTV) କ୍ୟାମେରା ଲଗାଯାଇଛି । ପ୍ରତିଟି ପରୀକ୍ଷାର୍ଥୀଙ୍କ ଉପରେ ଏହି କ୍ୟାମେରାର ସିଧାସଳଖ ଫୋକସ୍ ରହିବ । ବୋର୍ଡ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର 'କମାଣ୍ଡ କଣ୍ଟ୍ରୋଲ୍ ରୁମ୍' ପ୍ରତିଷ୍ଠା କରାଯାଇଛି, ଯେଉଁଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକର ସିଧାସଳଖ (Live) ଭିଡିଓ ଉପରେ ନଜର ରଖାଯାଉଛି । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (DEO)ଙ୍କ ସହ ଆଲୋଚନା କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ବର୍ଷା ଯୋଗୁଁ ଜେନେରେଟର ବ୍ୟବସ୍ଥା:
ରାଜ୍ୟରେ ଏବେ ଲଗାଣ ବର୍ଷା ଜାରି ରହିଥିବାରୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ସମୟରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ବିକଳ୍ପ ଭାବେ ପ୍ରତି କେନ୍ଦ୍ରରେ ଜେନେରେଟର ମହଜୁଦ ରଖିବାକୁ ସମସ୍ତ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ପେପର-୧ ପରୀକ୍ଷା ପାଇଁ ଯୁକ୍ତ ଦୁଇ ସହ ସିଟି (CT) ସାର୍ଟିଫିକେଟ୍ଧାରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପେପର-୨ ପାଇଁ ସ୍ନାତକ (Graduate) ସହ ସିଟି କିମ୍ବା ବିଇଡି (B.Ed) କରିଥିବା ଶିକ୍ଷାର୍ଥୀମାନେ ଆବେଦନ କରିଛନ୍ତି ।