ରାୟଗଡ଼ା ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗତ ଚାରି ମାସ ହେଲା ଭତ୍ତା ମିଳିନଥିବା ଅଭିଯୋଗ କରି ଜେ.କେ. ପୁର ଅଞ୍ଚଳର ବହୁ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ସୋମବାର ଜନଶୁଣାଣିରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।
ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପି. ଗୌରୀଶଙ୍କର ରାଓଙ୍କ ନେତୃତ୍ୱରେ ହିତାଧିକାରୀମାନେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ମାସିକ ଭତ୍ତା ହିଁ ସେମାନଙ୍କ ଜୀବନର ମୁଖ୍ୟ ଆର୍ଥିକ ସହାୟକ। ଭତ୍ତା ବନ୍ଦ ହୋଇଯିବାରୁ ଘର ଚଳାଇବା ସହ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗ ପାଇଁ ଆବଶ୍ୟକ ଔଷଧ କିଣିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ହିତାଧିକାରୀମାନଙ୍କ କହିବା ଅନୁଯାୟୀ, ପ୍ରତିମାସ ମିଳୁଥିବା ୧,୦୦୦ ଟଙ୍କା ଭତ୍ତା ପାଇଁ ସେମାନେ ବାରମ୍ବାର ବ୍ୟାଙ୍କ, ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ଏଥିରେ ଯାତାୟାତ ବାବଦରେ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିଲେ ମଧ୍ୟ କେହି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି। ବ୍ୟାଙ୍କ ଖାତାକୁ ସିଧାସଳଖ ଭତ୍ତା ଯିବ ବୋଲି କୁହାଯାଇଥିଲେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀ ଏହାରୁ ବଞ୍ଚିତ ରହିଛନ୍ତି।
ଏହି ଘଟଣାର ତୁରନ୍ତ ତଦନ୍ତ କରି ସମସ୍ତ ବକେୟା ଭତ୍ତା ଶୀଘ୍ର ପ୍ରଦାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଆସନ୍ତା ମାସ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଭତ୍ତା ମିଳିବା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
ଏପଟେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଶୀଘ୍ର ସମସ୍ୟାର ସମାଧାନ ସହ ଭତ୍ତା ବଣ୍ଟନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି।