ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ବିଷାକ୍ତ ସାପ କାମୁଡ଼ାରେ ଜଣେ ୨୪ ବର୍ଷୀୟା ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଏଭଳି ଦୁଃଖଦ ଘଟଣା ଘଟିଛି ଝରିଗାଁ ବ୍ଲକର ଫୁପୁଗାଁ ପଞ୍ଚାୟତ ଅଧୀନ ପୂର୍ଣ୍ଣିଗୁଡା ଗ୍ରାମରେ। ମୃତକ ହେଲେ ବୈଦି ଭତରା। ସୂଚନା ଅନୁଯାୟୀ, ବୈଦି ଓ ତାଙ୍କ ସ୍ୱାମୀ ସଦନ ଭତରା ରାତିରେ ଭୋଜନ ସାରି ଘର ଭିତରେ ତଳେ ଶୋଇଥିଲେ। ଭୋର ପ୍ରାୟ ୪ଟା ବେଳେ ବୈଦି ହଠାତ୍ ଅନୁଭବ କରିଥିଲେ ଯେ କୌଣସି ସରୀସୃପ ପ୍ରାଣୀ ତାଙ୍କୁ କାମୁଡ଼ିଛି। ସେ ତୁରନ୍ତ ଏନେଇ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ।
ପରିବାର ଲୋକେ ଘରେ ଖୋଜାଖୋଜି କରିବା ପରେ ଏକ ବିଷାକ୍ତ ସାପକୁ ଦେଖିଥିଲେ। ଏହାପରେ ସାପ କାମୁଡ଼ିଥିବା ସନ୍ଦେହରେ ବୈଦିଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଏହି ଘଟଣା କେବଳ ଏକ ପରିବାରର ସ୍ୱପ୍ନକୁ ଭାଙ୍ଗିଦେଇନି, ବରଂ ଏକ ଅନାଗତ ଶିଶୁର ଜୀବନ ମଧ୍ୟ ଅକାଳରେ ଶେଷ ହୋଇଯାଇଛି। ବର୍ଷା ଋତୁରେ ସାପଙ୍କ ଉପଦ୍ରବ ବଢ଼ୁଥିବାରୁ ଗ୍ରାମାଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଲୋକେ ମଧ୍ୟ ପରାମର୍ଶ ଦେଉଛନ୍ତି। ଏହି ଦୁଃଖଦ ଘଟଣା ପରେ ପୂର୍ଣ୍ଣିଗୁଡା ଗ୍ରାମରେ ଶୋକର ପରିବେଶ ସୃଷ୍ଟି ହୋଇଛି।