ଅମରାବତୀ: କଥାରେ ଅଛି ଯଦି ଇଚ୍ଛା ଥାଏ ସବୁକିଛି ସମ୍ଭବ । ଆଉ ଭଗବାନଙ୍କ ପାଦ ତଳେ ଭକ୍ତି ଥିଲେ ସବୁ ବାଧା ବିଘ୍ନ ଅତି ସହଜରେ ଅତିକ୍ରମ କରି ହୁଏ । ଏଠି ସେମିତି କିଛି ଘଟିଛି । ଭାବ ଓ ଭକ୍ତି ଆଗରେ ହାର ମାନିଛି ବୟସ । ଶତାୟୁ ବୟସରେ ୩୫୦୦ ମନ୍ଦିର ପାହାଚ ଚଢ଼ି ଭଗବାନଙ୍କ ଦର୍ଶନ କରିଛନ୍ତି ଜଣେ ବୃଦ୍ଧା । ତିରୁପତି ମନ୍ଦିରରେ ଏଭଳି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ।
ନବନୀଥାମ୍ମା ନାମକ ୧୧୬ ବର୍ଷୀୟା ବୃଦ୍ଧା ମହିଳା ତାଙ୍କ ପରିବାର ଦ୍ୱାରା ସମର୍ଥନ ପାଇ ଭଗବାନ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରିବାକୁ ତିରୁମାଲା ପାହାଡ଼କୁ ପାଦରେ ଚଢ଼ିବାକୁ ପ୍ରତିଜ୍ଞା କରିଥିଲେ । ନବନୀତମ୍ମା ଶେଷାଚଳମ୍ ପାହାଡ଼ ଦେଇ ଯାଇଥିବା ୯ କିଲୋମିଟର ଲମ୍ବା ବିଶିଷ୍ଟ 'ଆଲିପିରି ପାଦଚଲାପଥ' ଦେଇ ପ୍ରାୟ ୩,୫୫୦ ପାହାଚ ଚଢ଼ି ତିରୁପତି ମନ୍ଦିରରେ ପହଞ୍ଚିଥିଲେ। ଯାହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ଭକ୍ତି, ସମର୍ପଣ, ସାହସ ଏବଂ ଅଟଳ ବିଶ୍ୱାସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ତିରୁମାଲା ତିରୁପତି ଦେବସ୍ଥାନମ୍ ଅଧ୍ୟକ୍ଷ ବି.ଆର. ନାଇଡୁ ତୁରନ୍ତ ବୃଦ୍ଧା ମହିଳାଙ୍କୁ ଖୋଜି ତାଙ୍କୁ ଉପଯୁକ୍ତ ସମ୍ମାନ ସହିତ ମନ୍ଦିରକୁ ଆଣିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ କ୍ରମେ ମନ୍ଦିରର ଅଧିକାରୀମାନେ ନବନୀଥାମ୍ମା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଭିଆଇପି ଦର୍ଶନର ବ୍ୟବସ୍ଥା କରିଥିଲେ । ମନ୍ଦିର କର୍ମଚାରୀମାନେ ସମ୍ମାନର ସହିତ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ଅଧିକାରୀମାନେ ବାୟୋମେଟ୍ରିକ୍ ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ତାଙ୍କ ପାଇଁ 'ଭିଆଇପି ବ୍ରେକ୍ ଦର୍ଶନ' ସୁବିଧା କରାଇଥିଲେ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ମଧ୍ୟ ବୃଦ୍ଧାକୁ ପ୍ରଶଂସା ନ କରି ପାରିନଥିଲେ । ଚନ୍ଦ୍ରବାବୁ ନାଇଡ଼ୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି ଯେ ଯେତେବେଳେ ପ୍ରକୃତ ଭକ୍ତିର କଥା ଆସେ, ବୟସ କେବଳ ଏକ ସଂଖ୍ୟା । ନବନୀଥାମ୍ମାଙ୍କ ଏହି ଭକ୍ତିର ଯାତ୍ରା ଗଭୀର ପ୍ରେରଣାଦାୟକ। ଏହି ଇଚ୍ଛା ପୂରଣ କରିବାରେ ତାଙ୍କୁ ସମର୍ଥନ କରିବା ପାଇଁ ସେ ତାଙ୍କ ପରିବାରକୁ ମଧ୍ୟ ପ୍ରଶଂସା କରିଛନ୍ତି।