ଆମିର ଖାନ୍ ଏବଂ ଗୌରୀ ସ୍ପ୍ରାଟ୍ ଆଜି ଆନୁଷ୍ଠାନିକ ଭାବେ ସ୍ୱାମୀ-ସ୍ତ୍ରୀ ହୋଇସାରିଛନ୍ତି। 'ମିଷ୍ଟର ପରଫେକ୍ସନିଷ୍ଟ' କୁହାଯାଉଥିବା ଆମିରଙ୍କର ଏହା ହେଉଛି ତୃତୀୟ ବିବାହ। ଏହା ପୂର୍ବରୁ ରୀନା ଦତ୍ତ ଏବଂ କିରଣ ରାଓଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇସାରିଛି। ବଲିଉଡ୍ଠାରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଏଭଳି ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ତିନିଥର ବିବାହ କରିଛନ୍ତି।
ସଞ୍ଜୟ ଦତ୍ତ
ନିଜର ଦମଦାର ଅନ୍ଦାଜ ପାଇଁ ଜଣାଶୁଣା ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ତିନିଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ୧୯୮୭ ମସିହାରେ ଋଚା ଶର୍ମାଙ୍କ ସହ ହୋଇଥିଲା, କିନ୍ତୁ ବ୍ରେନ୍ ଟ୍ୟୁମର୍ ଯୋଗୁଁ ୧୯୯୬ରେ ଋଚାଙ୍କର ନିଧନ ହୋଇଯାଇଥିଲା। ଏହା ପରେ ସଞ୍ଜୟ ଦତ୍ତ ୧୯୯୮ରେ ମଡେଲ୍ ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ। ୨୦୦୮ରେ ଦୁହେଁ ଅଲଗା ହୋଇଗଲେ। ଏହା ପରେ ସଞ୍ଜୟ ଦତ୍ତ ମାନ୍ୟତାଙ୍କୁ ବିବାହ କରିଛନ୍ତି। ଦୁହେଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଆଦର୍ଶ ଦମ୍ପତି ଭାବେ ଗଣାଯାନ୍ତି।
ଅଦନାନ ସାମୀ
ଗାୟକ ଅଦନାନ ସାମୀଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ, ସେ ୧୯୯୩ରେ ପାକିସ୍ତାନୀ ଅଭିନେତ୍ରୀ ଜେବା ବଖ୍ତିୟାରଙ୍କୁ ବିବାହ କରିଥିଲେ ଏବଂ ୧୯୯୭ରେ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା। ଏହା ପରେ ସେ ୨୦୦୧ରେ ସବା ଗଲାଦରୀଙ୍କୁ ବିବାହ କରିଥିଲେ ଏବଂ ଏହି ବିବାହ ମଧ୍ୟ ମାତ୍ର ବର୍ଷକ ପରେ ଭାଙ୍ଗି ଯାଇଥିଲା। ୨୦୧୦ରେ ଅଦନାନ ସାମୀ ରୋୟା ସାମୀ ଖାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
କରଣ ସିଂହ ଗ୍ରୋଭର
ଟିଭି ସହିତ ବଲିଉଡ୍ରେ ନିଜର ନାମ କମାଇଥିବା ଅଭିନେତା କରଣ ସିଂହ ଗ୍ରୋଭର ମଧ୍ୟ ତିନିଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ୨୦୦୮ରେ ଶ୍ରଦ୍ଧା ନିଗମଙ୍କ ସହ ହୋଇଥିଲା, ଯାହା ବର୍ଷେ ମଧ୍ୟ ତିଷ୍ଠି ପାରିନଥିଲା। ଏହା ପରେ ଅଭିନେତା ଜଣକ ତାଙ୍କର କୋ-ଷ୍ଟାର ଥିବା ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ଙ୍କୁ ୨୦୧୨ରେ ବିବାହ କରିଥିଲେ, କିନ୍ତୁ ୨୦୧୪ରେ ଦୁହେଁ ଅଲଗା ହୋଇଯାଇଥିଲେ। ୨୦୧୬ରେ ଅଭିନେତ୍ରୀ ବିପାଶା ବସୁଙ୍କ ସହ କରଣ ସିଂହ ଗ୍ରୋଭରଙ୍କ ତୃତୀୟ ବିବାହ ହୋଇଥିଲା। ବର୍ତ୍ତମାନ ଏହି ଦମ୍ପତିଙ୍କର ଏକ ସୁନ୍ଦର କନ୍ୟା ସନ୍ତାନ ଅଛି।
ଲକି ଅଲ୍ଲୀ
ପ୍ରସିଦ୍ଧ ଗାୟକ ଲକି ଅଲ୍ଲୀଙ୍କର ମଧ୍ୟ ତିନୋଟି ବିବାହ ହୋଇଛି। ଯଦିଓ ସେ ତିନୋଟି ଯାକ ବିବାହରୁ ଅଲଗା ହୋଇସାରିଛନ୍ତି। ସେ ପ୍ରଥମ ବିବାହ ମେଘନ ଜେନ୍ ମ୍ୟାକଲେରୀଙ୍କ ସହ କରିଥିଲେ, ଯିଏ ଜଣେ ଇଣ୍ଡୋ-ବ୍ରିଟିଶ୍ ମଡେଲ୍ ଥିଲେ। ଏହା ପରେ ଦ୍ୱିତୀୟ ବିବାହ ଜଣେ ପାର୍ସୀ ମହିଳା ଇନାୟାଙ୍କ ସହ ହୋଇଥିଲା ଏବଂ ୨୦୧୦ରେ ସେ ବ୍ରିଟିଶ୍ ମଡେଲ୍ କେଟ୍ ଏଲିଜାବେଥ୍ ହେଲମଙ୍କୁ ବିବାହ କରିଥିଲେ। ୨୦୧୭ରେ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା।
ପ୍ରୋସେନଜିତ ଚାଟାର୍ଜୀ
ପ୍ରୋସେନଜିତ ଚାଟାର୍ଜୀ ଜଣେ ଅଭିନେତା ହେବା ସହ ଜଣେ ପ୍ରଯୋଜକ ମଧ୍ୟ। ବିଶେଷ କରି ସେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ପ୍ରୋସେନଜିତ ଚାଟାର୍ଜୀଙ୍କ ପ୍ରଥମ ବିବାହ ଦେବାଶ୍ରୀ ରାୟଙ୍କ ସହ ୧୯୯୨ରେ ହୋଇଥିଲା। ଦୁହେଁ ୧୯୯୫ରେ ଅଲଗା ହୋଇଯାଇଥିଲେ। ଏହା ପରେ ୧୯୯୭ରେ ପ୍ରୋସେନଜିତ ଅପର୍ଣ୍ଣା ଗୁହଠାକୁରତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, କିନ୍ତୁ ପ୍ରାୟ ବର୍ଷେ ପରେ ଦୁହିଁଙ୍କର ଡିଭୋର୍ସ ହୋଇଗଲା। ଏହା ପରେ ୨୦୦୨ରେ ବଙ୍ଗଳା ଅଭିନେତ୍ରୀ ଅର୍ପିତା ପାଲ୍ଙ୍କ ସହ ପ୍ରୋସେନଜିତ ଚାଟାର୍ଜୀ ତୃତୀୟ ବିବାହ କରିଛନ୍ତି।
ରାଧିକା ଶରତକୁମାର
ଖ୍ୟାତନାମା ଅଭିନେତ୍ରୀ ତଥା ରାଜନୀତିଜ୍ଞ ରାଧିକା ଶରତକୁମାର ମଧ୍ୟ ତିନିଥର ବିବାହ କରିଛନ୍ତି। ୧୯୮୫ରେ ସେ ଅଭିନେତା ପ୍ରତାପ ପୋଥେନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, କିନ୍ତୁ ବର୍ଷେ ପରେ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା। ଏହା ପରେ ସେ ବ୍ରିଟିଶ୍ ନାଗରିକ ରିଚାର୍ଡ ହାର୍ଡିଙ୍କୁ ୧୯୯୦ରେ ବିବାହ କରିଥିଲେ, କିନ୍ତୁ ୧୯୯୨ରେ ଦୁହେଁ ଅଲଗା ହୋଇଗଲେ। ୨୦୦୧ରେ ଅଭିନେତ୍ରୀ ରାଧିକା ଅଭିନେତା ତଥା ରାଜନେତା ଆର୍. ଶରତକୁମାରଙ୍କୁ ବିବାହ କରିଛନ୍ତି।
ବିଧୁ ବିନୋଦ ଚୋପ୍ରା
ବଲିଉଡ୍ର ପ୍ରସିଦ୍ଧ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା ମଧ୍ୟ ତିନିଟି ବିବାହ କରିସାରିଛନ୍ତି। ପ୍ରଥମ ବିବାହ ୧୯୭୬ରେ ରେଣୁ ସାଲୁଜାଙ୍କ ସହ ହୋଇଥିଲା। ଦୁହେଁ ୧୯୮୩ରେ ଛାଡ଼ପତ୍ର ନେଇଥିଲେ। ଏହା ପରେ ୧୯୮୫ରେ ଶବନମ ସୁଖଦେବଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ହୋଇଥିଲା, ଯାହା ୧୯୮୯ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ସେ ୧୯୯୦ରେ ଅନୁପମା ଚୋପ୍ରାଙ୍କୁ ବିବାହ କରିଛନ୍ତି, ଯିଏ ଜଣେ ଚଳଚ୍ଚିତ୍ର ସମୀକ୍ଷକ ।
ପବନ କଲ୍ୟାଣ
ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣ ମଧ୍ୟ ତିନୋଟି ବିବାହ କରିଛନ୍ତି। ପ୍ରଥମ ବିବାହ ପରିବାର ଲୋକଙ୍କ ପସନ୍ଦରେ ୧୯୯୭ରେ ନନ୍ଦିନୀଙ୍କ ସହ ହୋଇଥିଲା। ଏହି ସମ୍ପର୍କ ୧୯୯୯ରେ ଭାଙ୍ଗି ଯାଇଥିଲା। ଏହା ପରେ ଅଭିନେତା ଜଣକ ୨୦୦୮ରେ ଆଇନଗତ ଭାବେ ଛାଡ଼ପତ୍ର ନେଇଥିଲେ। ଅଭିନେତ୍ରୀ ରେଣୁ ଦେଶାଇଙ୍କ ସହ ପବନ କଲ୍ୟାଣ ୨୦୦୯ରେ ବିବାହ କରିଥିଲେ, କିନ୍ତୁ ୨୦୧୨ରେ ସେମାନେ ଅଲଗା ହୋଇଗଲେ। ଏହା ପରେ ପବନ କଲ୍ୟାଣ ୨୦୧୩ରେ ଋଷୀୟ ମଡେଲ୍ ତଥା ଅଭିନେତ୍ରୀ ଆନ୍ନା ଲେଜନେଭାଙ୍କୁ ବିବାହ କରିଛନ୍ତି।