ନୂଆଦିଲ୍ଲୀ: ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଜି ୧୨୫ତମ ଜନ୍ମବାର୍ଷିକୀ। ତାଙ୍କର ଜନ୍ମ ୬ ଜୁଲାଇ ୧୯୦୧ ମସିହାରେ ହୋଇଥିଲା। ତାଙ୍କ ପିତା ଆଶୁତୋଷ ମୁଖାର୍ଜୀ ଜଣେ ବିଚାରପତି, ଶିକ୍ଷାବିତ୍ ଏବଂ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ଦେଶ ବ୍ରିଟିଶ ଶାସନର ଶିକୁଳି ତଳେ ଥିବା ସମୟରେ ତାଙ୍କର ଜନ୍ମ ହୋଇଥିଲା।
ଶ୍ୟାମା ପ୍ରସାଦ ମୁଖାର୍ଜୀ ମାତ୍ର ୩୩ ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ। ଏହି ପଦବିରେ ସେ ଚାରି ବର୍ଷ ପାଇଁ ରହିଥିଲେ। ତା’ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। କଂଗ୍ରେସ ଟିକେଟରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ସେ କଂଗ୍ରେସ ଛାଡି ହିନ୍ଦୁ ମହାସଭାରେ ସମ୍ପୂର୍ଣ୍ଣ ଯୋଗ ଦେଇଥିଲେ। ଯେତେବେଳେ କଂଗ୍ରେସ ବିଧାନସଭା ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା, ସେ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ, ଶ୍ୟାମା ପ୍ରସାଦ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇଥିଲେ।
୧୯୩୭ ନିର୍ବାଚନ ପରେ ସେ ହିନ୍ଦୁ ମହାସଭା/ସ୍ୱାଧୀନ ଗୋଷ୍ଠୀର ମୁଖ୍ୟ ବିରୋଧୀ ନେତା ହୋଇଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ କେନ୍ଦ୍ର ସରକାରଙ୍କ ଶିଳ୍ପ ଏବଂ ଯୋଗାଣ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ। କିନ୍ତୁ ସେ ଲିଆକତ-ନେହେରୁ ଚୁକ୍ତି ପ୍ରସଙ୍ଗରେ ଏପ୍ରିଲ ୬, ୧୯୫୦ରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ନେତା ଗୋଲୱାଲକରଙ୍କ ସହିତ ପରାମର୍ଶ କରିବା ପରେ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଅକ୍ଟୋବର ୨୧, ୧୯୫୧ରେ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ ଏବଂ ଏହାର ପ୍ରଥମ ସଭାପତି ହୋଇଥିଲେ। ୧୯୫୨ ନିର୍ବାଚନରେ ଭାରତୀୟ ଜନସଂଘ ତିନୋଟି ଆସନ ଜିତିଥିଲା। ସେ ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ ‘ଏକ ଦେଶ, ଏକ ସମ୍ବିଧାନ, ଏକ ନେତା, ଏକ ପତାକା"ର ସମର୍ଥକ ଥିଲେ।
ରହସ୍ୟମୟ ପରିସ୍ଥିତିରେ ଶ୍ରୀନଗରରେ ମୃତ୍ୟୁ
- ଶ୍ୟାମ ପ୍ରସାଦ ମୁଖାର୍ଜୀ ଧାରା ୩୭୦ର କଠୋର ବିରୋଧୀ ଥିଲେ। ସେ ଭାରତରେ ଜମ୍ମୁ କଶ୍ମୀରର ସମ୍ପୂର୍ଣ୍ଣ ମିଶ୍ରଣ ପାଇଁ ଲଢ଼ିଥିଲେ
- ୧୯୫୩ରେ ସେ କଶ୍ମୀର ଯାଇଥିଲେ, ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ସନ୍ଦେହଜନକ ପରିସ୍ଥିତିରେ ଶ୍ରୀନଗରରେ ୨୩ ଜୁନ୍ ୧୯୫୩ରେ ୫୧ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା
- ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ ବିଜେପି ପଶ୍ଚିମବଙ୍ଗରେ ରାଜନୈତିକ ଏବଂ ଆଦର୍ଶଗତ କାର୍ଯ୍ୟକ୍ରମ ଆୟୋଜନ କରୁଛି
- ଏହି ଲକ୍ଷ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୁଲାଇ ୬ ତାରିଖରେ ବଙ୍ଗଳା ଗସ୍ତ କରିବେ ଏବଂ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ସହିତ ଜଡିତ କାର୍ଯ୍ୟକ୍ରମରେ ଯୋଗଦେବେ। ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ପୈତୃକ ଗ୍ରାମ ମଧ୍ୟ ପରିଦର୍ଶନ କରିବେ
ଅଧିକ ପଢ଼ନ୍ତୁ: ଭାରତକୁ ସମର୍ଥନ ମାଗିଲେ ପାକିସ୍ତାନ ସହିତ କ୍ରୋଧିତ ନେତା