ଭୁବନେଶ୍ୱର: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ତଦନ୍ତର ଗତି ଆଗକୁ ବଢିଛି। ମାମଲାର ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ଏବେ ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବାକୁ ପ୍ରସ୍ତୁତ ହୋଇଛି। ସୂଚନା ଅନୁଯାୟୀ, ଝାରପଡ଼ା ଜେଲରେ ବନ୍ଦୀ ଥିବା କିଛି ଅଭିଯୁକ୍ତଙ୍କୁ ଆଜି ଜେରା କରାଯାଇପାରେ। ଏଥିପାଇଁ ସମ୍ପୃକ୍ତ କୋର୍ଟରୁ ଅନୁମତି ମିଳିଥିବା ଜଣାପଡ଼ିଛି। ତଦନ୍ତର ଆବଶ୍ୟକତା ଅନୁସାରେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ।
ଏହାପୂର୍ବରୁ ଗତ ୩ ତାରିଖରେ ସୌମ୍ୟଙ୍କ ସହଯୋଗୀ ଓମ୍ଙ୍କର ଲାଏ ଡିଟେକ୍ସନ୍ (ମିଛ ଧରା) ପରୀକ୍ଷା କରାଯାଇଥିଲା। କୋର୍ଟଙ୍କ ଅନୁମତି ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପରୀକ୍ଷା ସମ୍ପନ୍ନ ହୋଇଥିଲା। ଏହାଛଡ଼ା ମାମଲାର ୩ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ବଡ଼ଜେନା ଓରଫ କାଳିଆ, ସ୍କାଏଲାବ ପତି ଓ ବିସ୍ମୟ ମହାନ୍ତିଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ବିସ୍ତୃତ ପଚରାଉଚରା କରିଥିଲା।
ଏପର୍ଯ୍ୟନ୍ତ ଏହି ମାମଲାରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ମେ’ ୭ ତାରିଖରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ପୋଲିସ ଉପସ୍ଥିତିରେ କନଷ୍ଟେବଳ ସୌମ୍ୟରଞ୍ଜନଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ପୋଲିସ ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଥିଲା।
ଏହି ଘଟଣାରେ ବିବାଦକୁ ଆସିଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ତତ୍କାଳୀନ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିବାବେଳେ ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଚାଲିଛି। ଏବେ ଜେଲରେ ହେବାକୁ ଥିବା ପଚରାଉଚରାରୁ ମାମଲାର ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।