କନ୍ଧମାଳ: ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ଗାୟତ୍ରୀ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହ ଯୋଗୁଁ ଜଣେ ସିଆରପିଏଫ୍ ଯବାନ ଜୀବନ ହାରିଥିବା ଖବର ମିଳିଛି । ମୃତ ଯବାନ ଜଣକ ହେଉଛନ୍ତି ନୂଆସାହି ଗାୟତ୍ରୀ କଲୋନୀରେ ରହୁଥିବା ଅଶୋକ ବେହେରା।
ପ୍ରାଥମିକ ସୂଚନା ଅନୁସାରେ, ସୋମବାର ଅଶୋକ ବେହେରା ଘରେ ଥିବାବେଳେ ଆଉ କବାଟ ଖୋଲି ନ ଥିଲେ । ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ପଡ଼ୋଶୀ ସନ୍ଦେହ କରିଥିଲେ । ସେପଟେ ସାଙ୍ଗମାନେ ମଧ୍ୟ ବାରମ୍ବାର କଲ୍ କରିବା ସତ୍ୱେ ସେପଟୁ କୌଣସି ଉତ୍ତର ମିଳିନଥିଲା । ପଡ଼ୋଶୀ ବାଲିଗୁଡ଼ା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲେ । ପୋଲିସ ଅଶୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ହୋଇଛି ।
ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହେଲେ ସେ କଣ ପାଇଁ ଏହି ଚରମ ନିଷ୍ପତ୍ତି ନେଇଛନ୍ତି ସ୍ପଷ୍ଟ ହୋଇନଥିବାବେଳେ ବାଲିଗୁଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି।