ଭୁବନେଶ୍ୱର: ଓଡ଼ିଶାର ୭ଟି ଜିଲ୍ଲା ପାଇଁ ତୁରନ୍ତ ପାଣିପାଗ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ସହ ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସତର୍କତା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କନ୍ଧମାଳ, ଗଞ୍ଜାମ ଏବଂ ମୟୂରଭଞ୍ଜ।
ଆଜି ସକାଳ ୧୦ଟା ୪୦ ମିନିଟରେ ଜାରି ହୋଇଥିବା ବୁଲେଟିନ୍ରେ IMD କହିଛି ଯେ, ଏହି ଜିଲ୍ଲାଗୁଡ଼ିକରେ ପାଗ ହଠାତ୍ ବଦଳିପାରେ। ବର୍ଷା ସହ ବଜ୍ରପାତ ଓ ଦମକା ପବନ ହେବାର ଆଶଙ୍କା ଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗ ଲୋକଙ୍କୁ ଅନାବଶ୍ୟକ ବାହାରକୁ ନଯିବା, ବଜ୍ରପାତ ସମୟରେ ଗଛ ତଳେ କିମ୍ବା ଖୋଲା ସ୍ଥାନରେ ଆଶ୍ରୟ ନ ନେବା ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ ଅନୁରୋଧ କରିଛି। ବିଶେଷକରି ଚାଷୀ, ମାଛଧରାଳି ଓ ବାହାରେ କାମ କରୁଥିବା ଲୋକମାନେ ପାଗର ପରିବର୍ତ୍ତନ ଉପରେ ନଜର ରଖି ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। IMDର ପରାମର୍ଶ ଅନୁଯାୟୀ, ସ୍ଥାନୀୟ ପାଣିପାଗ ସୂଚନା ଉପରେ ନଜର ରଖି ନିଜ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ।