ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏକ ଆକାଉଣ୍ଟ ବ୍ୟାନ୍କୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା କେନ୍ଦ୍ର ସରକାରଙ୍କୁ 'କକ୍ରୋଚ୍ ଜନତା ପାର୍ଟି' ନାମକ ପେଡି ଆକାଉଣ୍ଟକୁ ତୁରନ୍ତ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସୋସିଆଲ ମିଡିଆ ବ୍ୟବହାରର ଅଧିକାରକୁ ବିନା କୌଣସି ଠୋସ୍ କାରଣରେ ରୋକାଯାଇପାରିବ ନାହିଁ।
କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ସୁରକ୍ଷା କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ଆକାଉଣ୍ଟ ଉପରେ କଟକଣା ଲଗାଯାଇଥିଲା। ଏହି କ୍ରମରେ 'କକ୍ରୋଚ୍ ଜନତା ପାର୍ଟି' ଆକାଉଣ୍ଟକୁ ମଧ୍ୟ ବ୍ଲକ କରାଯାଇଥିଲା। ଏହା ବିରୋଧରେ ଆକାଉଣ୍ଟର ବ୍ୟବହାରକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ମାମଲାର ଶୁଣାଣି କରି ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ଆକାଉଣ୍ଟରେ ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଭଳି ସାମଗ୍ରୀ ନାହିଁ, ତେବେ ତାକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରିବା ଉଚିତ ନୁହେଁ। ନିର୍ଦ୍ଦିଷ୍ଟ ବିବାଦୀୟ ପୋଷ୍ଟକୁ ହଟାଯାଇପାରେ, କିନ୍ତୁ ପୂରା ଆକାଉଣ୍ଟ ବ୍ଲକ କରିବା ଦ୍ୱାରା ନାଗରିକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଛି। କୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନିଜର ଆଭିମୁଖ୍ୟ ଏବଂ ନିଆରା ପୋଷ୍ଟ ପାଇଁ ପରିଚିତ 'କକ୍ରୋଚ୍ ଜନତା ପାର୍ଟି' ଆକାଉଣ୍ଟ ବ୍ଲକ ହେବା ପରେ ଏହାର ଫଲୋଅର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ହାଇକୋର୍ଟଙ୍କ ଏହି ଆଦେଶ ପରେ ଡିଜିଟାଲ ଦୁନିଆରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।
Also Read: ୩୮ ଜଣଙ୍କୁ ଫାଶି, ୧୧ ଜଣଙ୍କୁ ଆଜୀବନ; ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟର ଦୋଷୀଙ୍କ ସଜା କାଏମ