ଅହମ୍ମଦାବାଦ: ୨୦୦୮ ମସିହାର ଭୟାନକ ଅହମଦାବାଦ ସିରିଏଲ ବ୍ଲାଷ୍ଟ ମାମଲାରେ ଆସିଛି ଏକ ବଡ଼ ରାୟ। ଗୁଜରାଟ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସମସ୍ତ ୪୯ ଜଣ ଦୋଷୀଙ୍କ ଦଣ୍ଡାଦେଶକୁ କାଏମ ରଖିଛନ୍ତି। ନିମ୍ନ ଅଦାଲତ ଦ୍ୱାରା ଶୁଣାଯାଇଥିବା ଦଣ୍ଡାଦେଶ ବିରୋଧରେ ଦୋଷୀମାନେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଦେଶର ସୁରକ୍ଷା ଏବଂ ମାନବିକତା ବିରୋଧରେ ହୋଇଥିବା ଏହି ବର୍ବରକାଣ୍ଡ ପାଇଁ କାହାରିକୁ କୋହଳ ମନୋଭାବ ଦେଖାଯାଇପାରିବ ନାହିଁ।
କଣ ଥିଲା ସ୍ପେଶାଲ କୋର୍ଟଙ୍କ ରାୟ ?
ଏହା ପୂର୍ବରୁ ବିଶେଷ ଅଦାଲତ ଏହି ମାମଲାରେ ସବୁଠାରୁ ଐତିହାସିକ ରାୟ ଶୁଣାଇଥିଲେ,ସମୁଦାୟ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦିଆଯାଇଥିଲା। ବାକି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ହାଇକୋର୍ଟ ଏହି ସମସ୍ତ ୪୯ ଜଣଙ୍କ ଦଣ୍ଡାଦେଶ ଉପରେ ମୋହର ମାରିଛନ୍ତି, ଯାହାକୁ ପୀଡ଼ିତଙ୍କ ପରିବାର ପାଇଁ ଏକ ବଡ଼ ନ୍ୟାୟ ବୋଲି କୁହାଯାଉଛି।
୭୦ ମିନିଟ୍ରେ ୨୧ଟି ବିସ୍ଫୋରଣ
୨୦୦୮ ଜୁଲାଇ ୨୬ରେ ଆତଙ୍କବାଦୀମାନେ ଅହମ୍ମଦାବାଦ ସହରକୁ ସମ୍ପୂର୍ଣ୍ଣ ସ୍ତବ୍ଧ କରିଦେଇଥିଲେ। ମାତ୍ର ୭୦ ମିନିଟ୍ ଭିତରେ ସହରର ବିଭିନ୍ନ ସ୍ଥାନରେ ୨୧ଟି ସିରିଏଲ୍ ବ୍ଲାଷ୍ଟ ହୋଇଥିଲା। ଏହି ନୃଶଂସ ଆତଙ୍କବାଦୀ ଆକ୍ରମଣରେ ୫୬ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୨୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଆତଙ୍କବାଦୀ ସଂଗଠନ 'ଇଣ୍ଡିଆନ ମୁଜାହିଦ୍ଦିନ' ଏହି ଆକ୍ରମଣ ପଛରେ ଥିବା ଜଣାପଡ଼ିଥିଲା।
ଏହି ମାମଲାରେ ପୋଲିସ ଏବଂ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଅତି ସତର୍କତାର ସହ ପ୍ରମାଣ ସଂଗ୍ରହ କରିଥିଲେ। ହାଇକୋର୍ଟ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଅନୁଧ୍ୟାନ କରିବା ପରେ ଦୋଷୀମାନଙ୍କର କୌଣସି ଦଲିଲ୍କୁ ଗ୍ରହଣ କରିନାହାନ୍ତି।
Also Read: ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩,୫୦୦ ଟପିଲା, ୧୬,୭୦୦ରୁ ଊର୍ଦ୍ଧ୍ବ ଆହତ