ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଭକ୍ତଙ୍କ ଦାନ ପଇସା ଗଣତି ବେଳେ ବଡ଼ଧରଣର ଅନିୟମିତତା ଓ ଚୋରିର ପର୍ଦ୍ଦାଫାଶ ହୋଇଛି। ମନ୍ଦିରର ଦାନ ବାକ୍ସରୁ ଟଙ୍କା ଗାଏବ ହେବା ଘଟଣାର ତଦନ୍ତ କରୁଥିବା ଏସଆଇଟି ନିଜର ପ୍ରାଥମିକ ରିପୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିଛି। ଏହି ରିପୋର୍ଟରେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚମକାଇ ଦେଇଛି। ଏହି ମହାଘୋଟାଲା କେବଳ କିଛି ସାଧାରଣ କର୍ମଚାରୀଙ୍କ ଚୋରି ଭିତରେ ସୀମିତ ନାହିଁ, ବରଂ ପୂରା ମ୍ୟାନେଜମେଣ୍ଟ ସିଷ୍ଟମ୍ ଏବଂ ସୁରକ୍ଷା ବ୍ୟବସ୍ଥାର ବଡ଼ ବିଫଳତା ବୋଲି SIT ସ୍ପଷ୍ଟ କରିଛି।
ସିସିଟିଭିରେ କଏଦ୍ ହେଲା କଳାକାରନାମା
ଏସଆଇଟି ତାର ରିପୋର୍ଟରେ ଦର୍ଶାଇଛି ଯେ, ମନ୍ଦିରର ଦାନ ଅର୍ଥ ଏବଂ ମୂଲ୍ୟବାନ ସାମଗ୍ରୀ ଗଣତି ବେଳେ ବ୍ୟାପକ ଚୋରି ହୋଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ, କର୍ମଚାରୀମାନେ ନୋଟ୍ ବିଡ଼ାରୁ ଟଙ୍କା ସେକ୍ରେଟ୍ ଭାବେ ବାହାର କରିବା, ଖୋଲା ନୋଟ୍କୁ ଲୁଚାଇବା ଏବଂ ନିଜ ପକେଟରେ ଗୁଞ୍ଜୁଥିବାର ସ୍ପଷ୍ଟ ଦେଖାଯାଇଛି। କେବଳ ସେତିକି ନୁହେଁ, ମାତ୍ର କିଛି ଦିନ ଅର୍ଥାତ୍ ୨୭ ଏପ୍ରିଲ୍ରୁ ୬ ମେ' ମଧ୍ୟରେ ପ୍ରାୟ ୭୦ଟି ଏଭଳି ସନ୍ଦିଗ୍ଧ କାର୍ଯ୍ୟକଳାପ ସିସିଟିଭିରେ କଏଦ ହୋଇଛି। ଏହା ଗୋଟିଏ କି ଦୁଇ ଦିନର ଘଟଣା ନୁହେଁ, ବରଂ ବହୁ ଦିନରୁ ଯୋଜନାବଦ୍ଧ ଭାବେ ଚାଲିଥିଲା।
ଏହି ୬ ଜଣ କର୍ମଚାରୀ ସନ୍ଦେହ ଘେରରେ
SIT ପ୍ରାଥମିକ ତଦନ୍ତରେ ମୁଖ୍ୟତଃ ୬ ଜଣ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନେଇ ଦୃଢ଼ ପ୍ରମାଣ ପାଇଛି। ସିସିଟିଭି ଫୁଟେଜ୍ ଏବଂ ଜବତ ସାମଗ୍ରୀ ଆଧାରରେ ଅବିନାଶ ଶୁକ୍ଳା,ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର ଓରଫ୍ ଟିନ୍ନୁ ଏମାନଙ୍କ ଭୂମିକା ସନ୍ଦେହଜନକ ବୋଲି କୁହାଯାଇଛି:
କାଗଜପତ୍ରରେ ରହିଗଲା ସୁରକ୍ଷା ନିୟମ
ମନ୍ଦିରର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଥିବା Standard Operating Procedure (SOP) କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି। ଟଙ୍କା ଗଣତି କୋଠରୀକୁ ଯିବା ଏବଂ ବାହାରିବା ସମୟରେ କର୍ମଚାରୀଙ୍କ କୌଣସି ଶାରୀରିକ ଯାଞ୍ଚ କିମ୍ବା ତଲାସୀ କରାଯାଉନଥିଲା। କର୍ମଚାରୀମାନେ ନିଜର ବ୍ୟକ୍ତିଗତ ବ୍ୟାଗ୍ ଓ ସାମଗ୍ରୀ ଧରି ଆରାମରେ ଗଣତି କକ୍ଷକୁ ଯାଉଥିଲେ। ଏପରିକି ଭିନ୍ନ ଭିନ୍ନ ଦାନ ବାକ୍ସରୁ ଆସୁଥିବା ନଗଦ ଟଙ୍କାକୁ କୌଣସି ଓଜନ କିମ୍ବା ରେକର୍ଡ ନରଖି ମିଶାଇ ଦିଆଯାଉଥିଲା, ଯାହା ଚୋରି କରିବାକୁ ଆହୁରି ସହଜ କରିଦେଇଥିଲା।
ନଜର ରଖୁଥିବା ଅଧିକାରୀ ବି ଦାୟୀ, ବ୍ୟାଙ୍କ ଖାତାରୁ ମିଳିଲା ସୁରାଗ
ଏସଆଇଟି କହିଛି ଯେ, କେବଳ ଚୋରି କରିଥିବା କର୍ମଚାରୀ ନୁହଁନ୍ତି, ବରଂ ସେମାନଙ୍କ ଉପରେ ନଜର ରଖିବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ସୁପରଭାଇଜର ଏବଂ ଦାୟିତ୍ୱବାନ ଅଧିକାରୀମାନେ ମଧ୍ୟ ନିଜ କାର୍ଯ୍ୟରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି। ବ୍ୟାଙ୍କ ଏବଂ ଟ୍ରଷ୍ଟ ମଧ୍ୟରେ ହୋଇଥିବା ଚୁକ୍ତିପତ୍ରର ନିୟମ କେବଳ ଖାତା କଲମରେ ସୀମିତ ରହିଗଲା।
ବଡ଼ କଥା ହେଉଛି, ସନ୍ଦେହ ଘେରରେ ଥିବା ଅଭିଯୁକ୍ତ ଏବଂ ସେମାନଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ବେଳେ ତାଙ୍କ ଆୟ ତୁଳନାରେ ଅହେତୁକ ଭାବେ ଅଧିକ ଟଙ୍କା ଜମା ହୋଇଥିବା ସୁରାଗ ମିଳିଛି। ଚୋରି ହୋଇଥିବା କୋଟି କୋଟି ଟଙ୍କା କେଉଁଠି ଲୁଚାଯାଇଛି ଏବଂ କେଉଁ ସମ୍ପତ୍ତି କିଣାଯାଇଛି, ତାହାର ସମ୍ପୂର୍ଣ୍ଣ ଗୁମର ଖୋଲିବା ପାଇଁ ଅଭିଯୁକ୍ତଙ୍କ ଆର୍ଥିକ କାରବାରର ଗହନ ତଦନ୍ତ କରିବାକୁ SIT ସରକାରଙ୍କୁ ସୁପାରିଶ କରିଛି।