କେନ୍ଦ୍ରାପଡ଼ା: ଲଗାଣ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀଙ୍କ ପାଇଁ ଆଶୀର୍ବାଦ ନୁହେଁ, ବରଂ ଅଭିଶାପ ପାଲଟିଛି। ବର୍ଷକର ପରିଶ୍ରମ ଏବେ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ପରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ଘୋର ଚିନ୍ତା ଦେଖାଦେଇଛି।
ଚାଷୀଙ୍କ ଅଭିଯୋଗ ଅନୁସାରେ, ଏକ ପୋଲ ନିର୍ମାଣ କାମ ପାଇଁ କେନାଲକୁ ଅବରୋଧ କରାଯାଇଥିବାରୁ ବର୍ଷା ଜଳ ସ୍ୱାଭାବିକ ଭାବେ ନିଷ୍କାସନ ହୋଇପାରୁନାହିଁ। ଫଳରେ କେନାଲରେ ପାଣି ଜମି ରହିବା ସହ ତାହା ଚାଷ ଜମିକୁ ମାଡ଼ି ଯାଇଛି। ଧାନ ସହ ବିଭିନ୍ନ ଫସଲ ଏବେ ପାଣି ଭିତରେ ବୁଡ଼ି ରହିଥିବାରୁ ଚାଷୀଙ୍କ ଆଖି ଆଗରେ ସ୍ୱପ୍ନ ଭାଙ୍ଗିବାକୁ ବସିଛି।
ସବୁଠାରୁ ବଡ଼ କଥା ହେଲା, ଏହି ସମସ୍ୟା ନୂଆ ନୁହେଁ। ଦୀର୍ଘ ଦିନ ଧରି କେନାଲରେ ପାଣି ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ସତ୍ତ୍ୱେ ସ୍ଥାୟୀ ସମାଧାନ ହୋଇନାହିଁ। ଏବେ ଲଗାଣ ବର୍ଷା ପରେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇ ରହିଛି।
ସୂଚନା ଅନୁସାରେ, ଏହି ସମସ୍ୟାରେ ପାଞ୍ଚଟି ପଞ୍ଚାୟତର ଶତାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି। ଧାରକରଜ କରି ଚାଷ କରିଥିବା ଚାଷୀମାନେ ଏବେ ଫସଲ ବଞ୍ଚିବ କି ନାହିଁ ସେହି ଚିନ୍ତାରେ ଦିନ କାଟୁଛନ୍ତି। ଫସଲ ନଷ୍ଟ ହେଲେ ଋଣ ଶୁଝିବା ତ ଦୂରର କଥା, ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ିବ ବୋଲି ସେମାନେ କହିଛନ୍ତି।
ପ୍ରଭାବିତ ଚାଷୀମାନଙ୍କ ଦାବି, ପ୍ରଶାସନ ତୁରନ୍ତ କେନାଲରୁ ଅବରୋଧ ହଟାଇ ଜଳ ନିଷ୍କାସନର ବ୍ୟବସ୍ଥା କରୁ। ଏହା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ନଚେତ ଏହି ଜଳବନ୍ଦୀ ସ୍ଥିତି କେବଳ ଫସଲକୁ ନୁହେଁ, ହଜାର ହଜାର ଚାଷୀ ପରିବାରର ଜୀବିକାକୁ ମଧ୍ୟ ଗୁରୁତର ସଙ୍କଟରେ ପକାଇଦେବ।