ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ । ବୈତରଣୀରେ ଯେଉଁ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି ତାହା ସ୍ୱାଭାବିକ ହୋଇଯିବ । ସେପଟେ ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବଢ଼ୁଥିବାବେଳେ ବନ୍ୟା ସ୍ଥିତି ଆସି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ।
ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଉପରମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲୁଛି ଏବଂ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଛି । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ୬୦୬.୧୨ ଫୁଟ୍ ରହିଛି, ଅର୍ଥାତ ୨୬ ପ୍ରତିଶତ ଜଳ ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ଜଳ ଭଣ୍ଡାରକୁ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଆସନ୍ତାକାଲି ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ । ତଥାପି ଏହି ସମୟରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କମ୍ ଜଳ ସ୍ତର ରହିଛି । ଗତ ବର୍ଷ ଏହି ସମୟରେ ୬୦୯ ଫୁଟ୍ ଜଳ ରହିଥିଲା । ଗତବର୍ଷ ଅପେକ୍ଷା ୨ରୁ ୩ ଫୁଟ୍ ତଳେ ଜଳସ୍ତର ରହିଛି । ତେଣୁ ଜଳ ସ୍ତର ୬୦୯ ଫୁଟରେ ପହଁଚିଲେ ୯ ତାରିଖରେ ହୀରାକୁଦ ଗେଟ୍ ଖୋଲାଯିବାକୁ ନିଷ୍ପତି ହୋଇଛି । କେତେ ଗେଟ୍ ଖୋଲାଯିବ କାଲିର ଜଳସ୍ତର ଦେଖି ନିଷ୍ପତ୍ତି ନିଆଯିବ ।
ସେପଟେ ମୁଣ୍ଡଳି ବ୍ୟାରେଜରେ ଆଜି ସକାଳ ସୁଦ୍ଧା ୩ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆଜି ରାତି ସୁଦ୍ଧା ଜଳ ସ୍ତର ବୃଦ୍ଧି ପାଇ ଧିରେ ଧିରେ ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ଅତିକ୍ରମ କରିବ । ମୁଣ୍ଡଳିରେ ୫ ଲକ୍ଷ କ୍ୟୁସେକ ତଳେ ଜଳ ପ୍ରବାହିତ ହେବ । ୫ ଲକ୍ଷ କ୍ୟୁସେକ୍ ଉପରେ ଜଳ ପ୍ରବାହିତ ହେଲେ ବନ୍ୟା ସ୍ଥିତି ଆସିବ । ତେଣୁ ଏବେ ମହାନଦୀ ଅବବାହିକାରେ କୌଣସି ବନ୍ୟା ସ୍ଥିତି ନ ଥିବା ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସେହିପରି ଗୁଜବରେ ବିଶ୍ୱାସ ନ ରଖି ବିଭାଗର ସୂଚନାକୁ ଅପେକ୍ଷା କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ ଅନୁରୋଧ କରିଛନ୍ତି ।
ସେହିପରି ହୀରକୁଦ ଜଳ ଭଣ୍ଡାରରେ ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ ମଧ୍ୟ ସମାନ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜଳ ସଂରକ୍ଷିତ ଚାଲିଛି । ଆସନ୍ତା 9 ତାରିଖ ପୂର୍ବାହ୍ନ 11ଟାରେ ଗେଟ୍ ଖୋଲାଯିବ । ଛତିଶଗଡ଼ କଲମା ବ୍ୟାରେଜରେ 34ଟି ଗେଟ୍ ଖୋଲା ରହିଛି ।
ଅଧିକ ପଢ଼ନ୍ତୁ:- ପ୍ରଶାସନିକ ଅବହେଳା ଯୋଗୁଁ ହନ୍ତସନ୍ତ ଲୋକେ, ଘରେ ଭିତରେ ପଶିଲା ବର୍ଷା ପାଣି