ଭୁବନେଶ୍ୱର: ଏଣିକି ଜମି କିଣାବିକାରେ ଦଲାଲ ଆଉ ହସ୍ତକ୍ଷେପ କରିପାରିବେ ନାହିଁ । ଜମି ପଞ୍ଜିକରଣ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ ହେବ । ଟଙ୍କା ନେଣଦେଣଠାରୁ ଆରମ୍ଭ କରି ଦଲିଲ ପର୍ଯ୍ୟନ୍ତ ସବୁକିଛି ଅନଲାଇନ ମାଧ୍ୟମରେ ହେବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି ଯେ ଜମି ପଞ୍ଜିକରଣ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବ । ଜମି କିଣାବିକା ବେଳେ କ୍ୟାସର କୌଣସି ବ୍ୟବହାର ନାହିଁ । କେବଳ ଅନଲାଇନ ମାଧ୍ୟମରେ ଟଙ୍କା ଟ୍ରାଞ୍ଜାକସନ କରାଯିବ । ପୂର୍ବରୁ ୧୫ ହଜାର ଯାଏଁ କ୍ୟାସ କାରବାର ହେଉଥିଲା । ଜମି ପଞ୍ଜିକରଣରୁ ଦଲାଲଙ୍କୁ ଦୂରେଇ ରଖିବାକୁ ଏବଂ ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ଉଲ୍ଲଂଘନ କରୁଥିବାର ଅଭିଯୋଗ ଆସେ ତେବେ ସେମାନଙ୍କ ବିରୋଧରେ କଠୋରରୁ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ଆଉ ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବ ନାହିଁ । କେବଳ ଜମି ମାଲିକଙ୍କୁ ଚିହ୍ନଟ ପାଇଁ ଯିବାକୁ ହେବ । ପଞ୍ଜିକରଣ ପରେ ଦଲିଲ ମଧ୍ୟ ଅନଲାଇନରେ ପାଇଯିବେ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବଶୀଘ୍ର ଏସଓପି ଜାରି ହେବା ସହିତ ରାଜସ୍ୱ ଅଧିକାରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।