ନୂଆଦିଲ୍ଲୀ: କେରଳର ୱାୟାନାଡ ଜିଲ୍ଲାରେ ପ୍ରକୃତିର କୋପ ପୁଣି ଥରେ ଦେଖାଦେଇଛି। ଲଗାଣ ବର୍ଷାରେ ମଙ୍ଗଳବାର ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଏବେବି ମାଟି ତଳେ ଦବି ରହିଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଛି ।
ୱାୟନାଡ଼ ଜିଲ୍ଲା କଲ୍ଲାଡିର ମୀନାକ୍ଷୀ ସେତୁ ନିକଟରେ ଭୂ-ସ୍ଖଳନ ହୋଇଛି । ମାଲାପ୍ପୁରମ୍ ଏବଂ ୱାୟାନାଡ୍ ଜିଲ୍ଲାକୁ ସଂଯୋଗ କରୁଥିବା ଆନାକ୍କାମ୍ପୋଇଲ୍-ମେପାଡି ସୁଡ଼ଙ୍ଗ ରାସ୍ତା ପ୍ରକଳ୍ପ କାର୍ୟ୍ୟ ଜାରି ରହିଥିବାବେଳେ ଭୂ-ସ୍ଖଳନ ସମୟରେ ପ୍ରକଳ୍ପରେ ସାମିଲ ଥିବା ଅନେକ ଶ୍ରମିକ ସେଠାରେ ଉପସ୍ଥିତ ଫସିଯାଇଥିଲେ । କିଛି ଗାଡ଼ି ମଧ୍ୟ ଭଗ୍ନାବଶେଷ ତଳେ ଫସିଛି ।
ଭୂ-ସ୍ଖଳନ ହେବା ପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ସହିତ ଏନଡିଆରଏଫ୍ ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରାୟ ୧୦ ଜଣ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଅନୁମାନ କରାଯାଉଛି । ୬ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ ଟି. ସିଦ୍ଦିକି ଏବଂ ରାଜସ୍ୱ ମନ୍ତ୍ରୀ ଏ.ପି. ଅନିଲ କୁମାରଙ୍କୁ ୱାୟାନାଡ ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେରଳ ରାଜସ୍ୱ ମନ୍ତ୍ରୀ ଏପି ଅନିଲ କୁମାର କହିଛନ୍ତି ଯେ ୱାୟାନାଡ ଏବଂ କୋଝିକୋଡରୁ ପ୍ରାୟ ୬୦ ଜଣ ଏନଡିଆରଏଫ୍ କର୍ମଚାରୀଙ୍କୁ ତୁରନ୍ତ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। କୃଷି ମନ୍ତ୍ରୀ ଟି. ସିଦ୍ଦିକି ଏହାକୁ ପ୍ରାକୃତିକ ଦୁର୍ବିପାକ ନୁହେଁ ମନୁଷ୍ୟକୃତ ତ୍ରୁଟି କୁହାଯାଉଛି । କେରଳ ସରକାର ଦୁର୍ଘଟଣାକୁ ନେଇ କୋଙ୍କଣ ରେଳବାଇ ବିରୁଦ୍ଧରେ ଅବହେଳାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳକୁ ଯିବା ପୂର୍ବରୁ ରାଜ୍ୟ କୃଷି ମନ୍ତ୍ରୀ ଟି. ସିଦ୍ଦିକି କହିଛନ୍ତି ଯେ ଏହା ପ୍ରାକୃତିକ ଭୂସ୍ଖଳନ ନୁହେଁ, ବରଂ ଏକ ମାନବକୃତ ଦୁର୍ଘଟଣା। ଏହା ଅବହେଳାର ଏକ ସ୍ପଷ୍ଟ ଉଦାହରଣ। ଜିଲ୍ଲାପାଳ ପୂର୍ବରୁ କୋଙ୍କଣ ରେଳବାଇକୁ ଲିଖିତ ଭାବରେ ଚେତାବନୀ ଦେଇଥିଲେ ଯେ ଏହି ସ୍ଥାନରେ ଭୂସ୍ଖଳନର ଆଶଙ୍କା ରହିଛି । ତଥାପି ରେଳ ବିଭାଗ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇ ନ ଯିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।