ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ମହାନଳା ଅଞ୍ଚଳରେ ପୁଣିଥରେ ବୁଲା କୁକୁରଙ୍କ ଆତଙ୍କ ଦେଖାଦେଇଛି। ଏକ ଘରୋଇ ବିଦ୍ୟାଳୟ ନିକଟରେ ୬ ବର୍ଷର ପ୍ରଥମ ଶ୍ରେଣୀର ଜଣେ ଶିଶୁକନ୍ୟାଙ୍କୁ ୫ରୁ ୬ଟି ବୁଲା କୁକୁର ଏକାସାଙ୍ଗରେ ଆକ୍ରମଣ କରି ଝୁଣି ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଶିଶୁକନ୍ୟାଟି ବିଦ୍ୟାଳୟରୁ ପରିସ୍ରା କରିବା ପାଇଁ ବାହାରକୁ ଆସିଥିବା ବେଳେ ହଠାତ୍ କୁକୁର ପଲ ତାଙ୍କୁ ଘେରି ଆକ୍ରମଣ କରିଥିଲେ। ଶିଶୁର ଚିତ୍କାର ଶୁଣି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଲୋକେ ଦୌଡ଼ି ଆସି କୁକୁରଙ୍କ କବଳରୁ ଉଦ୍ଧାର କରିଥିଲେ। ଗୁରୁତର ଆହତ ଶିଶୁକୁ ତୁରନ୍ତ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଉଲ୍ଲେଖନୀୟ ଯେ, ଦୁଇ ମାସ ପୂର୍ବରୁ ମଧ୍ୟ ପାଟପୁର-ମହାନଳା ଅଞ୍ଚଳରେ ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲେ। ବାରମ୍ବାର ଏପରି ଘଟଣା ଘଟୁଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ସ୍ଥାୟୀ ପଦକ୍ଷେପ ନ ନିଆଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ ପରିସର ଏବଂ ଜନବସତି ଅଞ୍ଚଳରୁ ବୁଲା କୁକୁରଙ୍କୁ ହଟାଇବା ସହ ଶିଶୁମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।