ମୁମ୍ବାଇ: ଆଉ ମାତ୍ର ଗୋଟିଏ ଦିନ ପରେ ଛାଡ଼ିଥାଆନ୍ତେ ଘର । କିନ୍ତୁ ତା ପୂର୍ବରୁ ସମାଧି ନେଇଗଲା ପୁରା ପରିବାର । ମୁମ୍ବାଇରେ ମାନଖୁର୍ଦ ଅଞ୍ଚଳରେ ଘର ଭୁଶୁଡ଼ି ଏକ ପରିବାର ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଗୋଟିଏ ପରିବାରର ୫ ଜଣଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଲେ ଅଖତର ଜହାଁ ଓ ତାଙ୍କର ୪ଟି ପିଲା ଏବଂ ପଡ଼ୋଶୀଙ୍କର ଜଣେ ନାବାଳିକା ଝିଅ ଆଲିୟା ।
ପଡ଼ୋଶୀଙ୍କ ସୂଚନା ଅନୁସାରେ, ଅଖତରଙ୍କ ସ୍ୱାମୀ ମୌଇନୁଦ୍ଦୀନ ୱାଜିଦ ଅଲୀ ଶାହ ଜଣେ ଦିନ ମଜୁରିଆ । ପରିବାର ଜନତା ନଗରରେ ଏକ ଛୋଟ ଘରେ ବହୁ ଆଗରୁ ରହିଆସୁଥିଲେ । କିନ୍ତୁ ନିକଟରେ ଥିବା ଏକ ଘରର କାନ୍ଥରେ ଫାଟ ସୃଷ୍ଟି ହେବାରୁ ସେମାନେ ଘର ଛାଡ଼ିବାକୁ ଯୋଜନା କରିଥିଲେ । ରବିବାର ସକାଳେ ଘର ଖାଲି କରିବା ଆରମ୍ଭ କରିଥିଲେ । ସେଥିପାଇଁ ଘରର ସମସ୍ତ ଆସବାବ ପତ୍ର ବନ୍ଧାବନ୍ଧି କରୁଥିଲେ । ଏହି ସମୟରେ ମୋଇନୁଦ୍ଦୀନ ଘର ବାହାରକୁ ଯାଇଥିଲେ । ଏହି ସମୟରେ ଘରଟି ଭୁଶୁଡ଼ି ପଡ଼ିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର କାର୍ଯ୍ୟ ସକାଳରୁ ରାତି ଯାଏ ଚାଲିଥିଲା । ଜଣ ଜଣ କରି ସମସ୍ତଙ୍କୁ ଉଦ୍ଧାର କରି ଶତାବ୍ଦୀ ହସ୍ପିଟାଲ ଏବଂ ରାଜୱାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।
ମାନଖୁର୍ଦ ପୋଲିସ ସୋମବାର ସକାଳେ କୋଠାର ମାଲିକ ଅବଦୁଲ ୱାହିଦ ଏବଂ ଗୁଲାମ ରଜା ସୟଦଙ୍କୁ ଗିରଫ କରିଛି। ସେମାନଙ୍କ ବିରୁଦ୍ଧରେ ହତ୍ୟା, ଅବହେଳା ଯୋଗୁଁ ମୃତ୍ୟୁ ଘଟାଇବା ଏବଂ ଅନ୍ୟାନ୍ୟ ଗୁରୁତର ମାମଲା ରୁଜୁ କରାଯାଇଛି । ପୋଲିସ ତଦନ୍ତରୁ ଜଣାପଡିଛି ଯେ ଭୁଶୁଡ଼ି ପଡ଼ିଥିବା କୋଠାଟି ସମ୍ପୂର୍ଣ୍ଣ ବେଆଇନ ଥିଲା ଏବଂ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ନିର୍ମାଣ କରାଯାଇଥିଲା। ମାଲିକମାନେ କୋଠାର ବିପଦ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ, କିନ୍ତୁ ସେମାନେ ଏହାକୁ ମରାମତି କରିନଥିଲେ କିମ୍ବା ବାସିନ୍ଦାଙ୍କୁ ସତର୍କ କରାଇ ନଥିଲେ।