ଭୁବନେଶ୍ୱର: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ପାଇଁ ବଡ଼ ଖୁସି ଖବର। ଅଷ୍ଟମ ବେତନ କମିଶନ୍ (8th Pay Commission) ଏବେ ପୂରାଦମରେ କାର୍ଯ୍ୟ ଆରମ୍ଭ କରିଛି। ନୂଆ ଦରମା ଢାଞ୍ଚା ଓ ପେନ୍ସନ୍ ସଂଶୋଧନକୁ ନେଇ ଦେଶବ୍ୟାପୀ ପରାମର୍ଶ ପ୍ରକ୍ରିୟା ଚାଲିଥିବା ବେଳେ, ବର୍ତ୍ତମାନ କମିଶନର ଫୋକସ୍ରେ ରହିଛି ଓଡ଼ିଶା। ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଥିବା ବେଳେ, ଏହା କେନ୍ଦ୍ରୀୟ କର୍ମଚାରୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି।
ଜୁଲାଇ ୬ ଓ ୭ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଏହି ପରାମର୍ଶ ବୈଠକରେ ବିଭିନ୍ନ କେନ୍ଦ୍ରୀୟ କର୍ମଚାରୀ ୟୁନିଅନ୍, ପେନ୍ସନର୍ସ ଆସୋସିଏସନ୍ ଓ ଅନ୍ୟାନ୍ୟ ଷ୍ଟେକ୍ହୋଲ୍ଡରମାନେ ସିଧାସଳଖ ଅଂଶଗ୍ରହଣ କରିଥିଲେ। କର୍ମଚାରୀଙ୍କ ବର୍ତ୍ତମାନର ଆର୍ଥିକ ସ୍ଥିତି, ବଢ଼ୁଥିବା ମହଙ୍ଗା ମାଡ଼, ଜୀବନଯାପନ ଖର୍ଚ୍ଚ ଏବଂ ଭବିଷ୍ୟତର ଦରମା ଗଠନକୁ ନେଇ କମିଶନ୍ ବିସ୍ତୃତ ମତାମତ ସଂଗ୍ରହ କରିଛି।
ଏହି ବୈଠକରେ କର୍ମଚାରୀ ସଙ୍ଗଠନଗୁଡ଼ିକ ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଇଛନ୍ତି। ସେଥିମଧ୍ୟରେ ସବୁଠୁ ଚର୍ଚ୍ଚିତ ଦାବି ହେଉଛି ଫିଟ୍ମେଣ୍ଟ ଫ୍ୟାକ୍ଟର ବୃଦ୍ଧି। ଏହା ସହ ବର୍ତ୍ତମାନର ମହଙ୍ଗା ଭତ୍ତା (DA)କୁ ମୂଳ ଦରମାରେ ମିଶାଇବା, ବାର୍ଷିକ ଇନ୍କ୍ରିମେଣ୍ଟକୁ ୩ ପ୍ରତିଶତରୁ ୫ ପ୍ରତିଶତ କରିବା, ଛୁଟି ଏନ୍କ୍ୟାସ୍ମେଣ୍ଟ ସୀମା ବୃଦ୍ଧି ଏବଂ ପେନ୍ସନ୍ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ ଦାବି କରାଯାଇଛି।
ଏଥର କମିଶନ୍ କେବଳ ବୈଠକ କରି ସୁପାରିଶ ପ୍ରସ୍ତୁତ କରିବ ନାହିଁ। ବରଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ବାସ୍ତବ କାର୍ଯ୍ୟ ପରିସ୍ଥିତି, କାର୍ଯ୍ୟଭାର ଓ ବିପଦପୂର୍ଣ୍ଣ ଦାୟିତ୍ୱକୁ ମଧ୍ୟ ଅନୁଧ୍ୟାନ କରାଯିବ। ସେଥିପାଇଁ କମିଶନ୍ ଆଗାମୀ ଦିନରେ ଭାରତୀୟ ରେଳବାଇର ବିଭିନ୍ନ ୟୁନିଟ୍, ବିଶେଷକରି ମୁମ୍ବାଇର ଯାନ୍ତ୍ରିକ ଓ ଟ୍ରେନ୍ ପରିଚାଳନା ବ୍ୟବସ୍ଥାର କ୍ଷେତ୍ର ପରିଦର୍ଶନ କରିବ।
ଭୁବନେଶ୍ୱର ବୈଠକ ପରେ କମିଶନ୍ ଜୁଲାଇ ୯ ଓ ୧୦ ତାରିଖରେ କୋଲକାତାରେ ମଧ୍ୟ ବିଭିନ୍ନ କର୍ମଚାରୀ ସଙ୍ଗଠନ ସହ ଆଲୋଚନା କରିବ। ଏହି ମତାମତ ଆଧାରରେ ଚୂଡ଼ାନ୍ତ ସୁପାରିଶ ପ୍ରସ୍ତୁତ କରାଯିବ।
ସୂଚନାଯୋଗ୍ୟ, ୨୦୨୫ ନଭେମ୍ବରରେ ଗଠିତ ଅଷ୍ଟମ ବେତନ କମିଶନ୍କୁ ନିଜର ରିପୋର୍ଟ ଦାଖଲ ପାଇଁ ୧୮ ମାସ ସମୟ ଦିଆଯାଇଛି। ଅର୍ଥାତ୍ ୨୦୨୭ ମସିହା ମଧ୍ୟଭାଗ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିକଟରେ ଚୂଡ଼ାନ୍ତ ରିପୋର୍ଟ ପହଞ୍ଚିବାର ସମ୍ଭାବନା ରହିଛି। ତେବେ କର୍ମଚାରୀଙ୍କ ଆଶା, ନୂଆ ବେତନ ଢାଞ୍ଚାକୁ ୧ ଜାନୁଆରୀ ୨୦୨୬ରୁ ପିଛିଲା ଭାବେ ଲାଗୁ କରାଯିବ। ଏବେ ସମସ୍ତଙ୍କ ନଜର କମିଶନର ଚୂଡ଼ାନ୍ତ ସୁପାରିଶ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ରହିଛି।