ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ନୂଆପଡ଼ା ଜିଲ୍ଲାର ପଟାହରା ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ମିଳିତ କମ୍ବିଂ ଅଭିଯାନ ସମୟରେ ମାଓବାଦୀଙ୍କ ଏକ ଗୁପ୍ତ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ କରାଯାଇଛି। ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଅସ୍ତ୍ର, ଗୁଳି, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀକୁ ସୁରକ୍ଷାବାହିନୀ ଜବତ କରିଛି।
ପୁଲିସ ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ବୋଡ଼େନ ଥାନା ଅନ୍ତର୍ଗତ ବାରପାଟ ଡଙ୍ଗର ଅଞ୍ଚଳରେ ଏହି ଅପରେସନ ଆରମ୍ଭ ହୋଇଥିଲା। ଜିଲ୍ଲା ସ୍ୱେଚ୍ଛାସେବୀ ବଳ (DVF) ଓ ସିଆରପିଏଫ୍ (CRPF) ଯବାନମାନେ ମିଳିତ ଭାବେ ଜଙ୍ଗଲରେ ତଲାସି ଚଳାଇଥିଲେ। ଏହି ଅଭିଯାନର ତଦାରଖ ନୂଆପଡ଼ା ଏସପି ଅମୃତପାଲ ସିଂହ କରିଥିଲେ।
ଅଭିଯାନ ବେଳେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ମାଓବାଦୀଙ୍କ ଏକ ପୁରୁଣା ଡମ୍ପ ଠାବ ହୋଇଥିଲା। ସେଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ କାର୍ବାଇନ ଓ ତାହାର ମାଗାଜିନ, ୨୯ ରାଉଣ୍ଡ AK-47 ଗୁଳି, ୫୪ ରାଉଣ୍ଡ SLR ଗୁଳି, ଦୁଇଟି ଟିଫିନ୍ ବୋମା (IED), ୮ଟି ଜେଲାଟିନ ଷ୍ଟିକ୍, ପ୍ରାୟ ୧.୫ କିଲୋଗ୍ରାମ ଗନ୍ ପାଉଡର, ଡେଟୋନେଟର, ବ୍ୟାଟେରି, ସୋଲାର ପ୍ୟାନେଲ, ମଲ୍ଟିମିଟର, ବିଦ୍ୟୁତ ତାର, ୱାୟାର କଟର, IED ପରୀକ୍ଷା ଉପକରଣ, ମାଓବାଦୀ ପୋଷାକ, ବ୍ୟାଗ୍, ଜୋତା, ସାହିତ୍ୟ, ଔଷଧ କିଟ୍ ଏବଂ ରୋଷେଇ ସାମଗ୍ରୀ ଜବତ କରାଯାଇଛି।
ପୁଲିସର କହିବା ଅନୁସାରେ, ଏହି ଭଣ୍ଡାର ନିଷିଦ୍ଧ CPI (ମାଓବାଦୀ) ସଂଗଠନର ସଦସ୍ୟମାନଙ୍କର ଥିଲା। ଅଞ୍ଚଳରେ ଆହୁରି ଏପରି ଗୁପ୍ତ ଭଣ୍ଡାର ଥିବା ଆଶଙ୍କାରେ କମ୍ବିଂ ଅଭିଯାନକୁ ଅଧିକ ଜୋରଦାର କରାଯାଇଛି। ଏହାସହ ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷା ବ୍ୟବସ୍ଥା ଓ ନଜରଦାରିକୁ ଆହୁରି କଡ଼ାକଡ଼ି କରାଯାଇଛି, ଯାହାଦ୍ୱାରା ମାଓବାଦୀଙ୍କ ପୁନର୍ଗଠନ ଚେଷ୍ଟାକୁ ରୋକାଯାଇପାରିବ।