ଭୁବନେଶ୍ୱର: ଓଡ଼ିଶାରେ ସଡ଼କ ସୁରକ୍ଷାକୁ ନେଇ ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଫିଟନେସ୍ ସାର୍ଟିଫିକେଟ୍ (FC) ବିନା ଚଳାଚଳ କରୁଥିବା ଗାଡ଼ି ମାଲିକଙ୍କୁ କେବଳ ଜରିମାନା ଦେଇ ଛାଡ଼ ମିଳିବ ନାହିଁ। ନିୟମ ଉଲ୍ଲଙ୍ଘନ ଧରାପଡ଼ିଲେ ମୋଟର ଯାନ ଆଇନ ଅନୁଯାୟୀ ଗାଡ଼ିକୁ ସିଧାସଳଖ ଜବତ କରାଯିବ।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜୋରଦାର କରାଯାଇଛି। ଅଭ୍ୟାସଗତ ଭାବେ ନିୟମ ଭାଙ୍ଗୁଥିବା ଏବଂ ଫିଟନେସ୍, ପରମିଟ୍, ପଞ୍ଜିକରଣ କିମ୍ବା ବୀମା ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ବିରୋଧରେ ଏଣିକି ଆହୁରି କଠୋର ପଦକ୍ଷେପ ନିଆଯିବ।
ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ (STA) ସମସ୍ତ RTO, ARTO ଓ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ସ୍ପଷ୍ଟ ସର୍କୁଲାର ଜାରି କରିଛି। ସର୍କୁଲାରରେ କୁହାଯାଇଛି ଯେ, ଏପ୍ରିଲ ୧ରୁ ଜୁନ୍ ୩୦, ୨୦୨୬ ମଧ୍ୟରେ ରାଜ୍ୟରେ ୧,୬୪,୮୮୨ଟି ଚାଲାଣ କଟାଯାଇଥିଲେ ମଧ୍ୟ ମାତ୍ର ୪୨୮ଟି ଗାଡ଼ି ଜବତ କରାଯାଇଥିଲା। କେବଳ ଜରିମାନା ଆଦାୟ କରି ଅଯୋଗ୍ୟ ଗାଡ଼ିକୁ ପୁଣି ରାସ୍ତାକୁ ଛାଡ଼ି ଦେବାରୁ ସଡ଼କ ସୁରକ୍ଷାର ଉଦ୍ଦେଶ୍ୟ ସଫଳ ହେଉନାହିଁ ବୋଲି ସରକାର ମନେ କରିଛନ୍ତି।
ତେଣୁ ଏଣିକି ଫିଟନେସ୍ ସାର୍ଟିଫିକେଟ୍ ନଥିବା ଗାଡ଼ି ସହ ପରମିଟ୍, ପଞ୍ଜିକରଣ କିମ୍ବା ବୀମା ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ବିରୋଧରେ ମଧ୍ୟ ଜବତ ଭଳି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି, କୌଣସି ଗାଡ଼ିକୁ ଜବତ କରାଯାଉ କିମ୍ବା ନ କରାଯାଉ, ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଏହାର ସଠିକ୍ କାରଣ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା କାର୍ଯ୍ୟାନୁଷ୍ଠାନରେ ପାରଦର୍ଶିତା ରହିବ।
ସଡ଼କ ଦୁର୍ଘଟଣା କମାଇବା ପାଇଁ ପୋଲିସ ଓ ପରିବହନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଯିବା ସହ VAHAN ଓ e-Challan ଡ୍ୟାସବୋର୍ଡର ଆଲର୍ଟ ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରାଯାଉଛି। ସରକାରଙ୍କ କହିବା ଅନୁସାରେ, ବିନା ଫିଟନେସ୍ ଗାଡ଼ି ଚଳାଚଳ ଅନେକ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛି। ତେଣୁ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏଭଳି ଗାଡ଼ି ବିରୋଧରେ କୌଣସି ପ୍ରକାର କୋହଳ ନୀତି ଅବଲମ୍ବନ କରାଯିବ ନାହିଁ। ସମସ୍ତ ଗାଡ଼ି ମାଲିକଙ୍କୁ ନିଜ ଗାଡ଼ିର ଫିଟନେସ୍, ବୀମା, ପଞ୍ଜିକରଣ ଓ ପରମିଟ୍ ସମୟରେ ନବୀକରଣ କରି ନିୟମ ମାନି ଚଳାଚଳ କରିବାକୁ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।