ସୁନ୍ଦରଗଡ଼/କେନ୍ଦୁଝର: ଆଜି ରାଜ୍ୟରେ ଦୁଇଟି ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ରେ ବୋଲେରୋ ଏବଂ କମାଣ୍ଡର ମୁହାଁମୁହିଁ ଧକ୍କା ହେବା ଦ୍ୱାରା ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କେନ୍ଦୁଝରରେ ଥାର୍ ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି ।
ଆଜି ଅପରାହ୍ନ ୨ଟାରେ ସୁନ୍ଦରଗଡ଼ ସଦରଥାନା ପାତକିଯୋର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ଓ ଯାତ୍ରୀବାହୀ କମାଣ୍ଡର ମୁହାଁମୁହିଁ ଧକ୍କା ହେବା ଫଳରେ ମାଲିକଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତ ମାଲିକ ହେଲେ କିଞ୍ଜିରକେଲାର ରୋହିତ ତନ୍ତୀ । ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ। କମାଣ୍ଡର ଭିତରେ ତାଙ୍କ ମୃତଦେହ ଲାଖି ରହିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।
ରୋହିତ ସୁନ୍ଦରଗଡ଼ରୁ ଯାତ୍ରୀ ନେଇ କିଞ୍ଜିରକେଲା ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।
ସେପଟେ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଖଜୁରୀଜୁଆଣି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଥାର୍ ଗାଡ଼ି, ବାଇକକୁ ଧକ୍କା ଦେବାରୁ ବାଇକ୍ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିବା ବେଳେ ୨ଜଣ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥାର୍ ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି ।