ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଣି ଥରେ ବଡ଼ ଧରଣର ନିଶାଦ୍ରବ୍ୟ ଚାଲାଣ ଉଦ୍ୟମ ପଣ୍ଡ ହୋଇଛି। ଡିଆରଆଇ (DRI) ଓ କଷ୍ଟମ ବିଭାଗର ମିଳିତ ଚଢ଼ାଉରେ ବ୍ୟାଙ୍କକ୍ରୁ ଆସୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ପ୍ରାୟ ୧୧ କିଲୋଗ୍ରାମ ମାରିଜୁଆନା ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ବ୍ୟାଙ୍କକ୍ରୁ ଭୁବନେଶ୍ୱର ଆସୁଥିବା ଏହି ଯାତ୍ରୀଙ୍କ ଚଳପ୍ରଚଳ ସନ୍ଦେହଜନକ ଲାଗିବାରୁ ବିମାନବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କ ବ୍ୟାଗ୍ର ଯାଞ୍ଚ କରାଯିବା ବେଳେ ସେଥିରୁ ବହୁ ପରିମାଣର ମାରିଜୁଆନା ଜବତ ହୋଇଥିଲା।
ଏହି ନିଶାଦ୍ରବ୍ୟ ଭୁବନେଶ୍ୱରରେ କାହା ପାଇଁ ଆସୁଥିଲା, ଏହାର ପଛରେ କୌଣସି ଆନ୍ତର୍ଜାତୀୟ ନିଶା କାରବାର ଚକ୍ର ସକ୍ରିୟ ଅଛି କି, ଏବଂ ଧରାପଡ଼ିଥିବା ଯାତ୍ରୀ ଏକା କାମ କରୁଥିଲେ ନା ତାଙ୍କ ସହ ଆଉ କେହି ସାମିଲ ଅଛନ୍ତି, ସେନେଇ କଷ୍ଟମ ବିଭାଗ ତଦନ୍ତ ଜୋରଦାର କରିଛି।
ବର୍ତ୍ତମାନ ଅଭିଯୁକ୍ତଙ୍କୁ ଅଟକ ରଖି ଘନଘନ ପଚରାଉଚରା କରାଯାଉଛି। ତଦନ୍ତ ପରେ ଏହି ଚୋରା ଚାଲାଣ ପଛରେ ଥିବା ସମ୍ପୂର୍ଣ୍ଣ ନେଟୱର୍କର ପର୍ଦ୍ଦାଫାଶ ହେବ ବୋଲି ତଦନ୍ତକାରୀ ସଂସ୍ଥା ଆଶା କରୁଛି।