ନୂଆଦିଲ୍ଲୀ: ଆଫଗାନିସ୍ତାନ କ୍ରିକେଟର ମୂଳଦୁଆ ସ୍ଥାପନ କରିଥିବା ଏବଂ ବିଶ୍ୱରେ ଏକ ନୂତନ ପରିଚୟ ଦେଇଥିବା ପ୍ରସିଦ୍ଧ ଖେଳାଳି ବାମ ହାତ ବୋଲର୍ ଶାପୁର ଜାଦରାନ ଆଉ ଏ ଦୁନିଆରେ ନାହାଁନ୍ତି । ମାତ୍ର ୩୮ ବର୍ଷ ବୟସରେ ଶାପୁର ଦୁନିଆରୁ ବିଦାୟ ନେଇଛନ୍ତି । ଏକ ଦୂରାରୋଗ୍ୟରେ ପୀଡ଼ିତ ଥିବା ଶାପୁର ଜାଦରାନ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ଏହି ସୂଚନା ପ୍ରଦାନ କରିଛି । ଶାପୁରଙ୍କ ବିୟୋଗରେ ସାରା କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ଶାପୁର ଜାଦରାନ ଗତ ବର୍ଷ ଅକ୍ଟୋବର ମାସରୁ ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ଜାନୁଆରୀ ମାସରେ ସେ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ । ତାଙ୍କ ଭାଇ ଘମଈ ଜାଦରାନ ଏବଂ ଆଫଗାନିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅସଗର ଆଫଗାନ ମଧ୍ୟ ଏହି ସମୟରେ ଦିଲ୍ଲୀ ଆସିଥିଲେ । ପରିବାର ଲୋକଙ୍କ ସୂଚନା ଅନୁସାରେ, ସେ ହେମେଫୈଗୋସାଇଟିକ୍ ଲିମ୍ଫୋଷ୍ଟିୟୋସାଇଟୋସିସ୍ ବା ଏଚ୍ଏଲ୍ଏଚ୍ ରୋଗରେ ପୀଡ଼ିତ ଥିଲେ । ଏହି ରୋଗରେ ଶରୀର ପ୍ରତିରୋଧକ ଶକ୍ତି ଅସମାନ୍ୟଭାବେ ବୃଦ୍ଧି ପାଇ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କ୍ଷତି ପହଁଚାଇଥାଏ । ଏହି ରୋଗ ଯୋଗୁଁ ତାଙ୍କର ଶରୀର ବିଭିନ୍ନ ଅଙ୍ଗ ଅଚଳ ହୋଇପଡ଼ିଥିଲା । ଏମିତିକି ମସ୍ତିଷ୍କ ମଧ୍ୟ ସଂକ୍ରମିତ ହୋଇଥିଲା । ତେବେ ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା । ମାତ୍ର ତାହା ଅଧିକ ଦିନ ରହିନଥିଲା । ପୁଣି ଥରେ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
ସବୁଠାରୁ ଦୁଃଖର ବିଷୟ ହେଉଛି ଆସନ୍ତାକାଲି ଶାପୁର ତାଙ୍କର ୩୯ ତମ ଜନ୍ମ ଦିବସ ପାଳନ କରିଥାଆନ୍ତେ । ଜନ୍ମଦିନର ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ଦୁନିଆ ଛାଡ଼ିଛନ୍ତି ।
ଏସିବି ଶାପୁରଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛି । ଆଫଗାନିସ୍ତାନ କ୍ରିକେଟର ସେ ମୂଳଦୁଆ ସ୍ଥାପନ କରିଥିବା ସଦସ୍ୟଙ୍କ ମଧ୍ୟରେ ଜଣେ ଥିଲେ । ତାଙ୍କର ସମର୍ପଣ, ସଂଘର୍ଷ ଏବଂ ଅତୁଟ ପ୍ରତିବଦ୍ଧତା ଦେଶରେ କ୍ରିକେଟର ଉନ୍ନତି ଏବଂ ଉତ୍ଥାନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତାଙ୍କ ଚେଷ୍ଟାରେ ଆଫଗାନିସ୍ତାନ କ୍ରିକେଟ୍ ଆଜି ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକ ନୂତନ ପରିଚୟ ପାଇଥିବା କହିଛି ଏସିବି ।
୨୦୦୯ରେ ଶାପୁର ଜାଦରାନ ଆଫଗାନିସ୍ତାନ କ୍ରିକେଟ ଦଳରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ମ୍ୟାଚ୍ ଖେଳିଥିଲେ । ସେ ତାଙ୍କ କ୍ୟାରିୟରରେ ୪୪ଟି ଦିନିକିଆ ଏବଂ ୩୬ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ହାରାହାରି ୩୬.୯୫ରେ ୪୩ଟି ୱିକେଟ୍ ନେଇଥିବାବେଳେ ଟି-ଟ୍ୱେଣ୍ଟିରେ ୨୪. ୫୧ ରନ୍ ଆଭରେଜ୍ ସହିତ ୩୭ ୱିକେଟ୍ ନେଇଛନ୍ତି । ସେ ୨୦୨୦ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ପରେ ସେ ଘରୋଇ ମ୍ୟାଚରେ ଅଂଶ ଗ୍ରହଣ ଜାରି ରଖିଥିଲେ । ୨୦୨୨ରେ ସେ ଶେଷ ଘରୋଇ ମ୍ୟାଚ୍ ଖେଳିଛନ୍ତି । ୨୦୨୫ରେ ସେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ।