ଯାଜପୁର: ମୌସୁମୀ ଆରମ୍ଭରୁ ସାରା ଓଡ଼ିଶାରେ ଜଳ ବିଭୀଷିକା ଦେଖିବାକୁ ମିଳିଛି । କେଉଁଠି ପ୍ରବଳ ବର୍ଷାରେ ଘର ଭାଙ୍ଗିଲାଣି ତ ଆଉ କେଉଁଠି ରାସ୍ତା ବୁଡ଼ି ଗଲାଣି । ମାତ୍ର କେଇଟା ଦିନର ବର୍ଷାରେ ଲୋକଙ୍କ ହାଲ୍ ବେହାଲ୍ ହୋଇପଡ଼ିଛି । ସେହି କ୍ରମରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀର ଶାଖା କାଣୀ ନଦୀରେ ବିରାଟ ଘାଇ ସୃଷ୍ଟି ହୋଇଛି ।
କଣ୍ଟପଡାଠାରେ କାଣୀ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇଟି ନଦୀବନ୍ଧର ଡାହାଣ ପାର୍ଶ୍ୱରେ ହୋଇଥିଲା ବେଳେ ଚାଷ ଜମି ପାଖରେ ଘାଇ ସୃଷ୍ଟି ହୋଇଛି। ଘାଇ ହେବା ଫଳରେ ବ୍ଲକର ଏକର ଏକର ଚାଷ ଜମି ଜଳାର୍ଣ୍ଣବ ହୋଇପଡ଼ିଛି । ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ମାଡ଼ି ଯାଇଛି । କିଛି ତଳି ଅଂଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ଜଣାପଡିଛି ।
ଗତକାଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଥିଲେ ଯେ ଲଗାଣ ବର୍ଷାରେ ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ତେଣୁ ବୈତରଣୀରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା କରାଯାଉଛି । ଆଖୁଆପଦାଠାରେ ବୈତରଣୀ ଜଳ ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି ।