ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ବଡ଼ ସଫଳତା ମିଳିଛି । ଏନ୍ଆଇଏ ଟିମ୍ ଉତ୍ତରପ୍ରଦେଶରୁ ଜଣେ ଫେରାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସେ ହେଲେ ପଟିଆ ଅଞ୍ଚଳର ବାସିନ୍ଦା ରୋହନ ରଞ୍ଜନ ରାଉତ ।
ଘଟଣା ପରଠାରୁ ରୋହନ ଫେରାର ଥିଲା । ସେ ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଜଣେ ସନ୍ଦିଗ୍ଧ ଥିଲା । ଅନେକ ସ୍ଥାନରେ ଚଢ଼ଉ କରିବା ପରେ ଏନ୍ଆଇଏ ତାକୁ ଧରିବାରେ ସଫଳ ହୋଇଛି ।
ଉଲ୍ଲେଖ ଯୋଗ୍ୟ, ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱରର ସୁନ୍ଦରପଦା ଆଜାଦନଗରରେ ଏକ ଭୟଙ୍କର ବୋମା ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସେହନୱାଜ ମଲ୍ଲିକ ଏବଂ ତାଙ୍କ ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ବିସ୍ଫୋରଣରେ ଅଭିଯୁକ୍ତଙ୍କ ବାନ୍ଧବୀ ଏବଂ ଜଣେ ସହଯୋଗୀ ଅମୀୟ ମଲ୍ଲିକ ଗୁରୁତର ଆହତ ହୋଇଥିଲେ। ସେହନୱାଜ ଭଡ଼ାରେ ରହୁଥିବାବେଳେ ମାଲିକଙ୍କ ଅନୁପସ୍ଥିତିରେ ଘରର ଛାତ ଉପରେ ବୋମା ତିଆରି କରିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଆରଡିଏକ୍ସ ବ୍ୟବହାର ହୋଇଥିଲା । ବିପୁଳ ପରିମାଣର ଆରଡିଏକ୍ସ ବ୍ୟବହାର ନେଇ ସନ୍ଦେହ ଘନୀଭୂତ ହୋଇଥିଲା । ତେଣୁ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ଭାର ଏନ୍ଆଇଏକୁ ହସ୍ତାନ୍ତର କରାଯାଇଥିଲା । ସେହନୱାଜ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିଲା । ସେ ପୂର୍ବରୁ ଗିରଫ ହୋଇ ଜେଲ ଯାଇ ଜାମିନରେ ଆସିଥିଲା ।