କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବନାଞ୍ଚଳ ବନ ଅଧିକାରୀ ରବିନ୍ଦ୍ର ନାୟକଙ୍କ ଘରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଛି । ମଙ୍ଗଳବାର ଭିଜିଲାନ୍ସ ଟିମ୍ ବନ ଅଧିକାରୀଙ୍କ ଚାରୋଟି ଠିକଣାରେ ଯାଞ୍ଚ ଆରମ୍ଭ କରିଛି ।
କେନ୍ଦ୍ରାପଡ଼ା ଏବଂ କଟକର ଏକାଧିକ ସ୍ଥାନରେ ଚଢ଼ଉ କରାଯାଉଛି । କଟକ ଜିଲ୍ଲା ବାରଙ୍ଗ ଥାନା ଅଧିନସ୍ଥ ମୁଣ୍ଡୁଳି ଗୋଡ଼ିସାହିରେ ଥିବା ଚାରି ମହଲା ବିଶିଷ୍ଟ ବାସଭବନ, ବାଙ୍କୀ ଥାନା ଅନ୍ତର୍ଗତନ ସାହାଡ଼ପଡ଼ାରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ା ବନାଞ୍ଚଳ କାର୍ୟ୍ୟାଳୟ ଏବଂ ବନ ବିଭାଗ କ୍ୱାଟର୍ସରେ ଚଢ଼ଉ କରାଯାଉଛି । ଏଥିରେ ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି, ୯ ଜଣ ଇନସ୍ପେକ୍ଟର୍, ୫ ଜଣ ଏଏସ୍ଆଇ ଏବଂ ଅନ୍ୟ ସହ କର୍ମଚାରୀ ସାମିଲ ଅଛନ୍ତି ।
ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଖଣି ବିଭାଗ ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଲିଜ୍ ଅବଧି ପରେ ବୃଦ୍ଧି ପ୍ରଦାନ ଏବଂ ବାଲିର ସ୍ପଟ୍ ନିଲାମରେ ଭବିଷ୍ୟତର ଲାଭ ଯୋଗାଇବା ପାଇଁ ଜଣେ ଲିଜଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଏହାକୁ ଗ୍ରହଣ କରିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗତକାଲି ଧରାପଡ଼ିଛନ୍ତି । ଅଭିଯୁକ୍ତ ଶ୍ରୀ ରାଉତଙ୍କ କବଜାରୁ ସମ୍ପୂର୍ଣ୍ଣ ୨ ଲକ୍ଷ ଟଙ୍କା ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।