ବାଲେଶ୍ୱର: ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ତୀର୍ଥଯାତ୍ରୀ ଏକ ଭୟାବହ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଟାଟା ଉଇଙ୍ଗର ବିଳମ୍ବିତ ରାତିରେ ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ତୁପୁର ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି । ଏଥିରେ ୧୦ରୁ ଅଧିକ ତୀର୍ଥଯାତ୍ରୀ ଗୁରୁତର ଆହତ । ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଟାଟା ଉଇଙ୍ଗରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଯାତ୍ରୀମାନେ ଗାଡ଼ି ଭିତରେ ଫସି ରହିଥିଲେ।
ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟର ଉଦ୍ୟମ ପରେ ଗୁରୁତର ଆହତମାନଙ୍କୁ ଗାଡ଼ିରୁ ବାହାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସପିଟାଲକୁ ପଠାଯାଇଥିଲା। କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ପୋଲିସ କ୍ରେନ୍ ସହାୟତାରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବସ୍ତା ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଲାଗିବାରୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।