ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଛତିଶଗଡ଼ ମଧ୍ୟ କଲମା ବ୍ୟାରେଜ୍ ଗେଟ୍ ଖୋଲି ସାରିଛି । ତେଣୁ ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇଛି । ଆସନ୍ତାକାଲି ହୀରକୁଦର ପ୍ରଥମ ପର୍ଯ୍ୟାୟ ଗେଟ୍ ଖୋଲାଯିବ ବୋଲି ହୀରକୁଦ ଜଳ ଭଣ୍ଡାର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦରେ ଜଳ ସ୍ତର ୬୧୧.୨୩ ଫୁଟ୍ ରହିଛି । ଘଣ୍ଟାକୁ ଜଳ ଭଣ୍ଡାର ମଧ୍ୟକୁ ୨ ଲକ୍ଷ ୬୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୩୦ ହଜାର ୪୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଯେହେତୁ ଜଳସ୍ତର ନିର୍ଦ୍ଧାରିତ ଉଚ୍ଚତା ୬୦୯ ଫୁଟ୍ ଅତିକ୍ରମ କରିସାରିଛି ତେଣୁ ଆସନ୍ତାକାଲି ଜଳ ଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ କରାଯିବ । ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯିବ ।
ଏଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ଜଳ ସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ନଦୀ ଭିତରକୁ ନ ଯିବାକୁ ସଚେତନ କରାଯାଉଛି ।