ଟ୍ରେଣ୍ଟ ବ୍ରିଜ୍: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟର ଏକ ଏଭଳି ଚିତ୍ର ସାମ୍ନାକୁ ଆସିଛି, ଯାହା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। ଟ୍ରେଣ୍ଟ ବ୍ରିଜ୍ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାୱାର-ପ୍ଲେ ଭିତରେ ହିଁ ଭାରତୀୟ ଦଳର ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଭାରତୀୟ ଟି-୨୦ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଦଳ ଏଭଳି ବିପର୍ଯ୍ୟୟ ସ୍ଥିତିର ସାମ୍ନା କରିଛି। ଏହି ମ୍ୟାଚ୍ରେ ଇଂଲଣ୍ଡଠାରୁ ଭାରତ ୧୨୫ ରନର ଏକ ବଡ଼ ପରାଜୟ ଭୋଗିଛି।
ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ୍ରେ ନିରାଶାଜନକ ପ୍ରଦର୍ଶନ ପରେ ପ୍ରଶଂସକ ଆଶା ରଖିଥିଲେ ଯେ ଟିମ୍ ଇଣ୍ଡିଆ ଇଂଲଣ୍ଡ ମାଟିରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବ। କିନ୍ତୁ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ହୋଇଛି। ପ୍ରାରମ୍ଭିକ ୩ଟି ମ୍ୟାଚ୍ ମଧ୍ୟରୁ ଭାରତ ୨ଟିରେ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଗତ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ବ୍ୟାଟରମାନେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ । ଫଳରେ ମାତ୍ର ୧୯ଟି ବଲ୍ ମଧ୍ୟରେ ଅଧା ଦଳ ପ୍ୟାଭିଲିୟନ ଫେରିସାରିଥିଲା।
ଭାରତୀୟ କ୍ରିକେଟ ଇତିହାସରେ ଏହା ପୂର୍ବରୁ କେବେ ମଧ୍ୟ ପାୱାର-ପ୍ଲେ ମଧ୍ୟରେ ୫ଟି ୱିକେଟ୍ ପଡ଼ି ନଥିଲା। ଅତୀତରେ କିଛି ମ୍ୟାଚ୍ରେ ୪ଟି ୱିକେଟ୍ ପଡ଼ିଥିଲା, କିନ୍ତୁ ୫ ୱିକେଟ୍ର ଏହି ଲଜ୍ଜାଜନକ ରେକର୍ଡ ପ୍ରଥମ। ମଙ୍ଗଳବାର ମ୍ୟାଚ୍ରେ ବ୍ୟାଟରମାନେ ପିଚ୍ରେ ସେଟ୍ ହେବା ପରିବର୍ତ୍ତେ ବଡ଼ ସଟ୍ ଖେଳିବା ଚକ୍କରରେ ନିଜ ୱିକେଟ୍ ଫିଙ୍ଗି ଚାଲିଥିଲେ। ଚଳିତ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ତାରକା ଖେଳାଳିମାନେ ଆନ୍ତର୍ଜାତୀୟ ସ୍ତରରେ ସମ୍ପୂର୍ଣ୍ଣ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି। ଉପ-ଅଧିନାୟକ ତିଲକ ବର୍ମା ଏବଂ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ କ୍ରମାଗତ ଭାବେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି।
ମ୍ୟାଚ୍ରେ ଭାରତର ୱିକେଟ୍ ପତନ ତାସର ଘର ଭଳି ହୋଇଥିଲା। ଦ୍ୱିତୀୟ ଓଭରର ପଞ୍ଚମ ବଲ୍ରେ ଓପନର ଅଭିଷେକ ଶର୍ମା ମାତ୍ର ୧୦ ରନ୍ କରି ପ୍ରଥମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ଏହାପରେ ପରବର୍ତ୍ତୀ ଓଭରରେ ଦୁଇଟି ଛକା ମାରି ଆଶା ଜଗାଇଥିବା ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୧୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଇଶାନ କିଷନ କିଛି ଆକର୍ଷଣୀୟ ସଟ୍ ଖେଳି ୧୩ ରନ୍ କରିଥିବା ବେଳେ ଜଶ୍ ଟଙ୍ଗ୍ଙ୍କ ଶିକାର ହୋଇଥିଲେ।
ଅଧିନାୟକ ଶ୍ରେୟସ ଆୟରଙ୍କ ଠାରୁ ବଡ଼ ପାଳିର ଆଶା ଥିଲା, କିନ୍ତୁ ସେ ମଧ୍ୟ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ। ଶେଷରେ ପାୱାର-ପ୍ଲେର ପଞ୍ଚମ ଓଭରର ଶେଷ ବଲ୍ରେ ଅକ୍ଷର ପଟେଲ ଆଉଟ୍ ହେବା ସହ ମାତ୍ର ୧୯ ବଲ୍ ଭିତରେ ଭାରତ ତାର ପ୍ରମୁଖ ୫ ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା।