ଭୁବନେଶ୍ୱର: ନିଜ ପଢ଼ିଥିବା ସ୍କୁଲର ଉନ୍ନତି ତଥା ବିକାଶ ପ୍ରକ୍ରିୟାରେ ସାମିଲ ହେବା ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ସରକାରଙ୍କ 'ପଞ୍ଚ ସଖା ସେତୁ ସଂଗଠନ ପରିଷଦ'ର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ବିକାଶରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ହିଁ ଏହି ଅଭିନବ ଯୋଜନାର ମୂଳ ଲକ୍ଷ୍ୟ।
ମୁଖ୍ୟ ଶାସନ ସଚିବଙ୍କ କହିବା ଅନୁଯାୟୀ, ପୁରାତନ ଛାତ୍ରଛାତ୍ରୀମାନେ କେବଳ ଯେ ଆର୍ଥିକ ସହାୟତା ପ୍ରଦାନ କରିବେ ତାହା ନୁହେଁ, ବରଂ ନିଜର ଜ୍ଞାନ, ବୁଦ୍ଧି ଓ ବିଦ୍ୟା ମାଧ୍ୟମରେ ମଧ୍ୟ ସ୍କୁଲକୁ ସେବା ଯୋଗାଇ ଦେଇପାରିବେ। ନିଜର ଅନୁଭୂତି ବାଣ୍ଟି ପିଲାମାନଙ୍କୁ ଦିଗଦର୍ଶନ ଦେବା ମଧ୍ୟ ଏହି ପ୍ରତିଦାନର ଏକ ବଡ଼ ମାଧ୍ୟମ ହେବ।
ଏହି ଅଭିଯାନକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଯୋଜନା ମୁତାବକ, ଜଣେ ପୁରାତନ ଛାତ୍ର ବା ଛାତ୍ରୀ ସ୍କୁଲର ବିକାଶ ପାଇଁ ଯେତିକି ପରିମାଣର ଆର୍ଥିକ ଅନୁଦାନ ଦେବେ, ରାଜ୍ୟ ସରକାର ତାହାର ଦୁଇଗୁଣା ଅର୍ଥ ସଂପୃକ୍ତ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନୟନ ପାଇଁ ଯୋଗାଇ ଦେବେ।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୫୫ ହଜାର ବିଦ୍ୟାଳୟ ସହିତ ୧୧ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସଫଳତାର ସହ ଯୋଡ଼ି ହୋଇସାରିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
Also Read: ଭୁବନେଶ୍ୱରରେ ନିର୍ମାଣ ହେବ ଓଡ଼ିଶାର ପ୍ରଥମ ସ୍କାଏୱାକ୍, ୧୮.୪୨ କୋଟିର ପ୍ରକଳ୍ପର ଶୁଭାରମ୍ଭ, ୬ଟି ଲିଫ୍ଟ ସହ ୩ଟି ନୂଆ ଫୁଟ୍ ଓଭରବ୍ରିଜ୍