ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ କଳା, ବାଣିଜ୍ୟ ଏବଂ ବିଜ୍ଞାନରେ ନାମଲେଖା ପାଇଁ ଯୁକ୍ତ ଦୁଇର ମେରିଟ୍ ତାଲିକା ପ୍ରକାଶ ପାଇଛି । କଟ୍ ଅଫ୍ ତାଲିକାରେ ଶୀର୍ଷରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ।
ଇ-ନାମଲେଖାର ପ୍ରଥମ ପର୍ୟ୍ୟାୟ ମନୋନୟନ ପ୍ରକ୍ରିୟାରେ ମୋଟ ୪,୬୧,୩୨୫ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୯୩.୦୪ ପ୍ରତିଶତ ଅର୍ଥାତ୍ ୪,୨୯,୨୧୯ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ମେରିଟ୍ ତାଲିକାରେ ମନୋନୀତ ହୋଇଥିବା ଶିକ୍ଷାର୍ଥୀଙ୍କ ମଧ୍ୟରେ କଳାରେ ୨,୭୬,୯୨୫, ବିଜ୍ଞାନରେ ୧,୨୧,୪୯୪, ବାଣିଜ୍ୟରେ ୧୯,୮୪୪, ଉପଶାସ୍ତ୍ରୀରେ ୬,୧୩୪ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୮୨୨ ଜଣ ରହିଛନ୍ତି । ସେହିଭଳି ମନୋନୀତଙ୍କ ମଧ୍ୟରେ ୨,୦୦,୪୯୩ ଛାତ୍ର ଥିବା ବେଳେ ୨,୨୮,୬୭୫ ଛାତ୍ରୀ ଏବଂ ୫୧ ଜଣ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀ ରହିଛନ୍ତି ।
ସେହିପରି ୨, ୭୪,୪୫୪ ଜଣଙ୍କୁ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିଛି । ବଳକା ୩୨,୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ୟ୍ୟାୟ ଓ ସ୍ପଟ୍ ସିଲେକ୍ସନ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ବିଏସଇ ଓଡ଼ିଶାରୁ ଆବେଦନ କରିଥିବା ୪,୨୬,୪୦୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩,୯୫,୬୮୧ ଜଣ ମନୋନୀତ ହୋଇଛନ୍ତି ।
କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟ୍ ଅଫ୍ ତାଲିକାରେ ଶୀର୍ଷରେ ରହିଛି । ରେଭେନ୍ସାରେ କଳାରେ ୮୧%, ବାଣିଜ୍ୟରେ ୮୨.୪୦% ଏବଂ ବିଜ୍ଞାନରେ ସର୍ବାଧିକ ୯୩.୪୦% କଟ୍-ଅଫ୍ ସହ ଶୀର୍ଷରେ ରହିଛି । ରେଭେନ୍ସା ତଳକୁ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୮୦.୬୭ % ଓ ବାଣିଜ୍ୟରେ ୮୧.୨୦ % ସହିତ ଉଭୟରେ ଦ୍ୱିତୀୟରେ ରହିଛି । କଳାରେ କଳାହାଣ୍ଡି ଭବାନୀପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୮୦ ପ୍ରତିଶତ ସହିତ ତୃତୀୟରେ ରହିଛି । ବିଜ୍ଞାନରେ ରେଭେନ୍ସା ତଳକୁ ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ବିଜେବି) ୯୦.୦୦ % ସହ ଦ୍ୱିତୀୟରେ ରହିଛି । ବିଜ୍ଞାନରେ କଟକ ଜେକେବିକେ ବିଦ୍ୟାଳୟ ୮୭.୧୭ ପ୍ରତିଶତ ସହିତ ତୃତୀୟରେ ରହିଛି ।
ସେହିପରି ଧନ୍ଦାମୂଳକ ଶିକ୍ଷାରେ କଳାହାଣ୍ଡି ଧର୍ମଗଡ଼ର ସରକାରୀ ଭୋକେସନାଲ୍ ବିଦ୍ୟାଳୟ ୭୪.୬୭% ଓ ଉପଶାସ୍ତ୍ରୀରେ କନ୍ଧମାଳ ଚକାପାଦର ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ୫୭% ଶୀର୍ଷରେ ରହିଛନ୍ତି । ଆସନ୍ତା ଜୁଲାଇ ୨୩ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ ।