ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି। ଧମକ ମିଳିବା ମାତ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଥିବା ବେଳେ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, କୋର୍ଟକୁ ବୋମାରେ ଉଡ଼ାଇ ଦେବା ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଏହାପରେ ପୋଲିସ ତୁରନ୍ତ ସତର୍କ ହୋଇ କୋର୍ଟ ପରିସରରେ ସୁରକ୍ଷା ବଳୟ ବଢ଼ାଇବା ସହ ପ୍ରତ୍ୟେକ କୋଣକୁ ଯାଞ୍ଚ କରୁଛି। ତେବେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ସୂଚନା ମିଳିଛି।
ବର୍ତ୍ତମାନ ପୋଲିସର ମୁଖ୍ୟ ଫୋକସ ହେଉଛି ଏହି ଇ-ମେଲ୍ କିଏ ପଠାଇଛି ଏବଂ ଏହା ପଛରେ ଉଦ୍ଦେଶ୍ୟ କ'ଣ। ସାଇବର ବିଶେଷଜ୍ଞଙ୍କ ସହଯୋଗରେ ଇ-ମେଲ୍ର ଉତ୍ସ ଚିହ୍ନଟ ପାଇଁ ତଦନ୍ତ ଜାରି ରହିଛି। ଧମକ ସତ ନା ଗୁଜବ, ତାହାର ମଧ୍ୟ ସତ୍ୟାସତ୍ୟ ଯାଞ୍ଚ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ। ଗତ କିଛି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ମାର୍ଚ୍ଚ ୯ରେ ପୁରୀ କୋର୍ଟ ଏବଂ ଜାନୁଆରୀ ୮ରେ ହାଇକୋର୍ଟ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ମଧ୍ୟ ସମାନ ଧରଣର ଧମକ ମିଳିଥିଲା। ପରବର୍ତ୍ତୀ ଯାଞ୍ଚରେ ସେଗୁଡ଼ିକ ଗୁଜବ ବୋଲି ସ୍ପଷ୍ଟ ହୋଇଥିଲା।
ତେବେ ବାରମ୍ବାର କୋର୍ଟଗୁଡ଼ିକୁ ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ଆସୁଥିବାରୁ ପୋଲିସ ଓ ସୁରକ୍ଷା ଏଜେନ୍ସିଙ୍କ ଚିନ୍ତା ବଢ଼ିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି।