ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାକିସ୍ତାନର ଏଭିଏସନ ଅଧିକାରୀମାନଙ୍କ କହିବା ଅନୁଯାୟୀ, କରାଚି ଉପକୂଳ ନିକଟରେ ୫ ଜଣ କ୍ରୁ ମେମ୍ବର ଥିବା ଏକ କାର୍ଗୋ ବିମାନ ହଠାତ୍ ନିଖୋଜ ହୋଇଯାଇଛି ଏବଂ ତାହାର ସନ୍ଧାନ କାର୍ଯ୍ୟ ଚାଲିଛି। କୁହାଯାଉଛି ଯେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରୁ ଉଡ଼ାଣ ଭରିଥିବା ପାକିସ୍ତାନର K2 ଏୟାରୱେଜ୍ର ବୋଇଂ ୭୩୭-୪୦୦ (Boeing 737-400) କାର୍ଗୋ ବିମାନ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ, କରାଚିରୁ ପ୍ରାୟ ୧୫୫ ନଟିକାଲ ମାଇଲ୍ ପଶ୍ଚିମରେ ଉଡ଼ାଣ ବେଳେ ବିମାନର ରଡାର ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ବିମାନଟି ସମୁଦ୍ରରେ ଖସିପଡ଼ିଥିବା ଆଶଙ୍କା କରାଯାଉଛି। ଫ୍ଲାଇଟ୍-ଟ୍ରାକିଂ ପ୍ଲାଟଫର୍ମ ‘ଫ୍ଲାଇଟ୍ ରଡାର୨୪’ ର ପ୍ରାଥମିକ ତଥ୍ୟ ଅନୁଯାୟୀ, ବେଗରେ ତଳକୁ ଖସିବା ପୂର୍ବରୁ ବିମାନର ଉଚ୍ଚତାରେ ହଠାତ୍ ଅସ୍ଥିରତା ଦେଖାଦେଇଥିଲା।
ଶାରଜାରୁ କରାଚି ଆସୁଥିଲା ବିମାନ
ପାକିସ୍ତାନ ଏୟାରପୋର୍ଟ ଅଥରିଟି ଅନୁଯାୟୀ, ଗତକାଲି ମଙ୍ଗଳବାର ସ୍ଥାନୀୟ ସମୟ ରାତି ୯:୨୧ ରେ ବୋଇଂ ୭୩୭ ଦ୍ରୁତ ଗତିରେ ତଳକୁ ଖସିଥିଲା ଏବଂ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ସହ ଏହାର ସମ୍ପର୍କ ତୁଟିଯାଇଥିଲା। ଏହି ବିମାନଟି ସଂଯୁକ୍ତ ଆରବ ଏମିରେଟ୍ସର ଶାରଜାରୁ କରାଚି ଅଭିମୁଖେ ଆସୁଥିଲା। ଏୟାରପୋର୍ଟ ଅଥରିଟି ଜଣାଇଛନ୍ତି ଯେ ତଳକୁ ଖସିବାର କିଛି ମିନିଟ୍ ପୂର୍ବରୁ ହିଁ ବିମାନରେ ନେଭିଗେସନ ସିଷ୍ଟମରେ ସମସ୍ୟା ଥିବା ନେଇ ସୂଚନା ଦିଆଯାଇଥିଲା।
ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ ଏବ ସମସ୍ତ ଚାଳକ ଦଳଙ୍କ ସନ୍ଧାନ ଜାରି ରହିଛି। ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କାହାରି ଜୀବିତ ଉଦ୍ଧାର ହେବା ନେଇ ଆଧିକାରିକ ପୁଷ୍ଟି କରାଯାଇନାହିଁ। ଏହି ବିମାନକୁ କରାଚିର ଘରୋଇ କାର୍ଗୋ ଏୟାରଲାଇନ୍ ‘K2 ଏୟାରୱେଜ୍’ ପରିଚାଳନା କରୁଥିଲା। କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଏହା ୨୦୧୮ ମସିହାରେ ଆରମ୍ଭ ହୋଇଥିଲା।
ସବୁ କ୍ରୁ ମେମ୍ବର ପାକିସ୍ତାନୀ ନାଗରିକ
ଆଜି ବୁଧବାର ଜାରି ଏକ ବିବୃତିରେ, K2 ଏୟାରୱେଜ୍ ବିମାନରେ ଥିବା ପାଞ୍ଚ ଜଣ କ୍ରୁ ମେମ୍ବରଙ୍କ ପରିଚୟ ପ୍ରକାଶ କରିଛି ଏବଂ କହିଛି ଯେ ସେମାନେ “ପାକିସ୍ତାନ ସିଭିଲ୍ ଏଭିଏସନ ଅଥରିଟି ଏବଂ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ସହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।” ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ, “ଆମେ ଆମର ସହକର୍ମୀମାନଙ୍କ ସୁରକ୍ଷା ପାଇଁ ଆନ୍ତରିକତାର ସହ ପ୍ରାର୍ଥନା କରୁଛୁ।”
ବିମାନରେ ଥିବା ଚାଳକ ଦଳର ସମସ୍ତ ସଦସ୍ୟ ପାକିସ୍ତାନୀ ନାଗରିକ ଥିଲେ। ସେମାନଙ୍କ ମଧ୍ୟରେ କ୍ୟାପଟେନ ମୁହମ୍ମଦ ରିଜୱାନ ଇଦ୍ରିସ, ଫାଷ୍ଟ ଅଫିସର ଫୈସଲ ଜଟୁଇ, ଫ୍ଲାଇଟ୍ ଇଞ୍ଜିନିୟର ମୁହମ୍ମଦ ହମିଦ, ମୁହମ୍ମଦ ଆରିଫ ସିଦ୍ଦିକି ଏବଂ ଲୋଡମାଷ୍ଟର ମୁହମ୍ମଦ ତୌଫିକ ଖାନ ସାମିଲ ଅଛନ୍ତି।
ଏହି ଦୁର୍ଘଟଣା ପରେ ପାକିସ୍ତାନ ନୌସେନା ପକ୍ଷରୁ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି। ସନ୍ଧାନ ଅଭିଯାନ ପାଇଁ PNS Zulfiqar ଯୁଦ୍ଧପୋତ, ପାକିସ୍ତାନ ସିପିଂ କର୍ପୋରେସନର ଏକ ଜହାଜ ଏବଂ SAAB ସାମୁଦ୍ରିକ ସର୍ଭେଲାନ୍ସ ବିମାନକୁ ଘଟଣାସ୍ଥଳକୁ ପଠାଯାଇଛି।
ପାକିସ୍ତାନରେ ବିମାନ ଉଡ଼ାଣ ସହ ଜଡ଼ିତ ଏଭଳି ଏକ ବଡ଼ ଦୁର୍ଘଟଣା ୬ ବର୍ଷ ପୂର୍ବେ ୨୦୨० ମସିହାରେ ଏକ ଘରୋଇ ଯାତ୍ରୀବାହୀ ବିମାନ ସହ ଘଟିଥିଲା। ସେହି ଦୁର୍ଘଟଣାରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ କରାଚି ଏୟାରପୋର୍ଟ ନିକଟରେ କ୍ରାସ୍ ହୋଇଯାଇଥିଲା, ଯେଉଁଥିରେ ଥିବା ୯୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଛାଡ଼ି ସମସ୍ତଙ୍କର ମୃତ୍ୟୁ ହୋଇଥିଲା।