ନୂଆଦିଲ୍ଲୀ/ୱାଶିଂଟନ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳିଉଠିଛି। ଇରାନ ଓ ଆମେରିକା ମଧ୍ୟରେ ତିବ୍ର ଉତ୍ତେଜନା ପୁଣି ବଢ଼ିଥିବା ବେଳେ ଆମେରିକା ଇରାନର ଏକାଧିକ ସାମରିକ ଘାଟି ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବା ଦାବି କରାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଟ୍ରୁଥ୍ ସୋସିଆଲ’ରେ ପୋଷ୍ଟ କରି ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେବା ସହ ବିସ୍ଫୋରଣ ବେଳର ଭିଡିଓ ମଧ୍ୟ ସେୟାର କରିଛନ୍ତି।
ଟ୍ରମ୍ପଙ୍କ କହିବା ଅନୁଯାୟୀ, ହର୍ମୁଜ ପ୍ରଣାଳୀରେ ତିନୋଟି ଜାହାଜ ଉପରେ ଇରାନର ଆକ୍ରମଣର ଜବାବରେ ଏହି ସାମରିକ ଅଭିଯାନ କରାଯାଇଛି। ଆମେରିକା ପକ୍ଷରୁ ଇରାନର ପ୍ରାୟ ୮୦ଟି ସାମରିକ ସ୍ଥାପନାକୁ ଟାର୍ଗେଟ କରାଯାଇଥିବା ଦାବି କରାଯାଉଛି। ଏପଟେ ଇରାନର ଇସ୍ଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ୍ (IRGC) ବାହାରିନ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ପାଲଟା ଆକ୍ରମଣ କରିଥିବା ଦାବି କରିଛି।
ନାଟୋ ସମ୍ମିଳନୀରେ ଯୋଗ ଦେଇ ଟ୍ରମ୍ପ କହିଛନ୍ତି ଯେ, ଇରାନ ସହ ହୋଇଥିବା ବୁଝାମଣା ବର୍ତ୍ତମାନ ଶେଷ ହୋଇଯାଇଛି। ଆଲୋଚନା ଚାଲିପାରେ, କିନ୍ତୁ ତାହା ଆଉ କୌଣସି ଫଳପ୍ରଦ ହେବ ନାହିଁ ବୋଲି ସେ କହିଛନ୍ତି।
ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଇରାନ ସହ ଥିବା ଅସ୍ତ୍ରବିରତି ଏବେ ଶେଷ। ଆଗକୁ ଆଲୋଚନା ହେଲେ ମଧ୍ୟ ତାହା କେବଳ ସମୟର ଅପଚୟ ବୋଲି ସେ କହିଛନ୍ତି। ଏପରିକି ଇରାନ ସରକାରକୁ "କ୍ୟାନ୍ସର" ବୋଲି କହି ତୀବ୍ର ସମାଲୋଚନା କରିବା ସହ ଏହାକୁ ବହୁ ପୂର୍ବରୁ ଶେଷ କରିଦେବା ଉଚିତ୍ ଥିଲା ବୋଲି ମତ ଦେଇଛନ୍ତି। ଟ୍ରମ୍ପଙ୍କ ଏଭଳି କଠୋର ମନ୍ତବ୍ୟ ଆନ୍ତର୍ଜାତିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ବୟାନ ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବା ବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ବଡ଼ ଧରଣର ସଂଘର୍ଷ ଆଶଙ୍କା ବଢ଼ିଛି। ଏହି ପରିସ୍ଥିତି ଆଗାମୀ ଦିନରେ ବିଶ୍ୱ ରାଜନୀତି, ଇନ୍ଧନ ବଜାର ଓ ଆନ୍ତର୍ଜାତିକ ସୁରକ୍ଷା ଉପରେ ବଡ଼ ପ୍ରଭାବ ପକାଇପାରେ।
ତେବେ ଏହି ଘଟଣାକୁ ନେଇ ଇରାନ ପକ୍ଷରୁ ତୁରନ୍ତ କୌଣସି ସରକାରୀ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ବିଶେଷଜ୍ଞମାନଙ୍କ ମତରେ, ଯଦି ଦୁଇ ଦେଶ ମଧ୍ୟରେ ଏଭଳି ସାମରିକ ପଦକ୍ଷେପ ଜାରି ରହେ, ତେବେ ପଶ୍ଚିମ ଏସିଆର ପରିସ୍ଥିତି ଆହୁରି ଜଟିଳ ହୋଇପାରେ ଏବଂ ବିଶ୍ୱ ବାଣିଜ୍ୟ, ବିଶେଷକରି ତୈଳ ପରିବହନ ଉପରେ ଏହାର ପ୍ରଭାବ ପଡ଼ିପାରେ।