ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ଉପାୟୁକ୍ତ ଜଗମୋହନ ମୀନାଙ୍କ ଇସ୍ତଫା ରାଜ୍ୟର ପୋଲିସ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ବିଭାଗରେ ଅତ୍ୟଧିକ ଚାପ ପଢ଼ୁଥିବା କୁହାଯାଉଛି । ତେବେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି ଯେ ଜନ ସଂଖ୍ୟା ଆଧାରରେ ପୋଲିସ ବିଭାଗରେ କର୍ମଚାରୀଙ୍କ ସଂଖ୍ୟା କମ୍ ରହିଛି । ତଥାପି ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁତ ତଳେ ରହିଛି । ଏଥିରେ ସୁଧାର ଆଣିବାକୁ ଏବଂ ପଦବୀ ପୂରଣ ପାଇଁ ପ୍ରୟାସ ଜାରି ରହିଛି ।
ପୂର୍ବରୁ ପୋଲିସ ବିଭାଗରେ ବିଭିନ୍ନ ପଦପଦବୀରେ ୧୬ ହଜାର ପଦବୀ ଖାଲି ରହିଥିଲା । ବର୍ଦ୍ଧିତ ସଂଖ୍ୟା ସହିତ ୮୯ ହଜାର ପଦବୀ ମଧ୍ୟରୁ ପ୍ରାୟ ୩୩ ହଜାର ପଦବୀ ଖାଲି ରହିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୭ ହଜାର ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ଆଉ ୨୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସେଥିପାଇଁ ଡିଜିପି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଓଡ଼ିଶା ପୋଲିସ ମାନବ ସମ୍ବଳରେ ଉନ୍ନତି ଆସିବ ଏବଂ ଜନସାଧାରଣଙ୍କୁ ସୁବିଧାରେ ସେବା ପ୍ରଦାନ କରାଯାଇପାରିବ ।
ସେହିପରି ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଉପରେ ଡିଜିପି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଜଣେ ଯଦି ଚାକିରୀରେ ରହିବାକୁ ଚାହିଁବେ ନାହିଁ ସେ ଇସ୍ତଫା ଦେଇପାରନ୍ତି ଏବଂ ଅନେକ ଦେଉଛନ୍ତି । କିନ୍ତୁ ସେ ଅନ୍ୟ କୌଣସି କାରଣ ଜଣାଇନାହାଁନ୍ତି ।