ଭୁବନେଶ୍ୱର: ଓଡ଼ିଶା ପୋଲିସ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ଆସିଛି ବଡ଼ ଖବର। ରାଜ୍ୟରେ ବର୍ତ୍ତମାନ ପ୍ରାୟ ୨୬ ହଜାର ପୋଲିସ ପଦବୀ ଖାଲି ଥିବା ବେଳେ ଖୁବ୍ଶୀଘ୍ର ଏହି ସବୁ ପଦବୀ ପୂରଣ ପାଇଁ ବୃହତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ।
ଡିଜିପିଙ୍କ କହିବା ଅନୁଯାୟୀ, ବଢ଼ୁଥିବା ଜନସଂଖ୍ୟା ଅନୁପାତରେ ରାଜ୍ୟରେ ପୋଲିସ ବଳର ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ। ଫଳରେ ଆଦର୍ଶ ପୋଲିସ-ଜନସଂଖ୍ୟା ଅନୁପାତ ବଜାୟ ରଖିବା ସହ ଆଇନଶୃଙ୍ଖଳା ପରିଚାଳନାରେ ବିଭାଗକୁ ଅଧିକ ଚାପ ସହିବାକୁ ପଡ଼ୁଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପୋଲିସ ବଳକୁ ସମ୍ପ୍ରସାରଣ କରିବାକୁ ପଦକ୍ଷେପ ନେଇଛନ୍ତି।
ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବିଭାଗରେ ୧୭ ହଜାର ନୂତନ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି। ପୂର୍ବରୁ ଥିବା ପ୍ରାୟ ୧୬ ହଜାର ଖାଲି ପଦବୀ ସହ ଏହାକୁ ମିଶାଇ ମୋଟ ଖାଲି ପଦବୀ ସଂଖ୍ୟା ପ୍ରାୟ ୨୬ ହଜାରରେ ପହଞ୍ଚିଛି। ଏହି ସବୁ ପଦବୀ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି ଡିଜିପି ଆଶା ପ୍ରକାଶ କରିଛନ୍ତି।
ଏହି ମେଗା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲେ ଏକପଟେ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ସୃଷ୍ଟି ହେବ, ଅନ୍ୟପଟେ ଆଇନଶୃଙ୍ଖଳା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ଏହା ସହ ବର୍ତ୍ତମାନ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଥିବା କାର୍ଯ୍ୟଭାର ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଓଡ଼ିଶା ପୋଲିସର ଆଧୁନିକୀକରଣ, ଜନସେବାର ମାନ ବୃଦ୍ଧି ଏବଂ ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉନ୍ନତ ପୋଲିସ ସେବା ପହଞ୍ଚାଇବା ଦିଗରେ ଏହି ବୃହତ ନିଯୁକ୍ତି ଅଭିଯାନ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏବେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶକୁ ଅପେକ୍ଷା କରିଛନ୍ତି ଲକ୍ଷାଧିକ ପୋଲିସ ଚାକିରି ଆଶାୟୀ।