ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ବିଜୁଳି ସେବାକୁ ଅଧିକ ସୁଲଭ, ସୁରକ୍ଷିତ ଓ ନିରବଚ୍ଛିନ୍ନ କରିବା ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବିଦ୍ୟୁତ କ୍ଷେତ୍ରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।
ବୈଠକର ସବୁଠାରୁ ବଡ଼ ଘୋଷଣା ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ରାଜ୍ୟର ବିଭିନ୍ନ ଗୃହ ଯୋଜନା, ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ସହ ସଂଯୋଜନ କରାଯିବ। ଏହାଦ୍ୱାରା ଗୃହ ଯୋଜନାର ହିତାଧିକାରୀମାନେ ମଧ୍ୟ ସୌର ଶକ୍ତିର ଲାଭ ପାଇପାରିବେ ଏବଂ ସେମାନଙ୍କ ବିଜୁଳି ବିଲ୍ ଯଥେଷ୍ଟ କମିବ।
ସରକାରଙ୍କ ସୂଚନା ଅନୁଯାୟୀ, ସହରାଞ୍ଚଳରେ ୧ କିଲୋୱାଟ୍ ରୁଫଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ କେନ୍ଦ୍ର ସରକାର ₹୩୦,୦୦୦ ଏବଂ ରାଜ୍ୟ ସରକାର ₹୨୫,୦୦୦ ସବସିଡି ପ୍ରଦାନ କରିବେ। ଫଳରେ ହିତାଧିକାରୀଙ୍କୁ ମାତ୍ର ₹୧,୮୭୫ ଖର୍ଚ୍ଚ କରି ଘରେ ସୋଲାର ପ୍ୟାନେଲ ଲଗାଇବାର ସୁଯୋଗ ମିଳିବ।
କେବଳ ସୌର ଶକ୍ତି ନୁହେଁ, ବିଦ୍ୟୁତ ସୁରକ୍ଷା ଉପରେ ମଧ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ଓ କାଳବୈଶାଖୀ ସମୟରେ ବିଦ୍ୟୁତ ବିଭ୍ରାଟକୁ ରୋକିବା ପାଇଁ ରାଜ୍ୟର ସମସ୍ତ ଚାରିଟି ବିଦ୍ୟୁତ ବିତରଣ କମ୍ପାନୀ ଅଧୀନରେ ₹୩,୭୦୮ କୋଟି ବ୍ୟୟରେ ଭୂତଳ କେବୁଲ ବିଛାଯିବ। ଏହା ସହ ବିପଦଜନକ ଝୁଲନ୍ତା ବିଦ୍ୟୁତ ତାର ହଟାଇବା, ଖୋଲା କଣ୍ଡକ୍ଟର ପରିବର୍ତ୍ତେ ଇନସୁଲେଟେଡ୍ କଣ୍ଡକ୍ଟର ବ୍ୟବହାର, ସବଷ୍ଟେସନରେ ଫେନ୍ସିଂ ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।
ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, OPTCLର ସିଏମଡି ଭାସ୍କର ଜ୍ୟୋତି ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ଘରକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ସ୍ଥାୟୀ ବିଜୁଳି ସେବା ଯୋଗାଇବା ସରକାରଙ୍କ ପ୍ରାଥମିକତା। ଶକ୍ତି, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗର ସମନ୍ୱୟରେ ପର୍ଯ୍ୟାୟକ୍ରମେ ଏହି ସମସ୍ତ ସୁଧାରମୂଳକ ପଦକ୍ଷେପ କାର୍ଯ୍ୟକାରୀ କରାଯିବ। ଏହି ପଦକ୍ଷେପ କେବଳ ବିଜୁଳି ବିଲ୍ କମାଇବ ନୁହେଁ, ବରଂ ଓଡ଼ିଶାର ବିଦ୍ୟୁତ ବ୍ୟବସ୍ଥାକୁ ଅଧିକ ଆଧୁନିକ ଓ ସୁରକ୍ଷିତ କରିବ।