ପଦ୍ମପୁର: ଦୀର୍ଘ ୨୦ ଘଣ୍ଟାର ଚିନ୍ତା, ଉତ୍କଣ୍ଠା ଓ ସର୍ଚ୍ଚ ଅପରେସନ୍ ପରେ ଶେଷରେ ମିଳିଲେ ଝାଞ୍ଜ ପାହାଡରେ ନିଖୋଜ ହୋଇଥିବା ଦୁଇ ଯୁବକ। ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡରୁ ନିଖୋଜ ହୋଇଥିବା କନସିଂହା ଗାଁର ରାଜ ମଲ୍ଲିକ ଓ ଗଣେଶ ଡୁଡୁକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଓ ଖୁସିର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, (ଗତକାଲି) ମଙ୍ଗଳବାର କନସିଂହା ଗ୍ରାମର ୯ ଜଣ ଯୁବକ ବରିହାପାଲି ପଞ୍ଚାୟତ ଅନ୍ତର୍ଗତ ଝାଞ୍ଜ ପାହାଡ ପାଦଦେଶରେ ଥିବା କୁଠିଖୋଳକୁ ବୁଲିବା ଓ ଗାଧୋଇବା ପାଇଁ ଯାଇଥିଲେ। ପରେ ସମସ୍ତେ ପାହାଡ ଉପରକୁ ଚଢ଼ି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରୁଥିବା ବେଳେ ରାଜ ମଲ୍ଲିକ ଓ ଗଣେଶ ଡୁଡୁକା ଅନ୍ୟ ସାଙ୍ଗମାନଙ୍କଠାରୁ ଅଲଗା ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ ପତ୍ତା ନ ମିଳିବାରୁ ପରିବାର ଲୋକ ପ୍ରଶାସନକୁ ସୂଚନା ଦେଇଥିଲେ।
ଖବର ପାଇବା ପରେ ବନ ବିଭାଗ, ଅଗ୍ନିଶମ ବିଭାଗ, ଡିଭିଏଫ୍ ଟିମ୍ ଏବଂ ସ୍ଥାନୀୟ ଗ୍ରାମବାସୀ ମିଳିତ ଭାବେ ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଦିନ-ରାତି ଲଗାତାର ପ୍ରାୟ ୨୦ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନ ପରେ ଶେଷରେ ଉଭୟ ଯୁବକଙ୍କୁ ଛତିଶଗଡ଼ ସୀମାନ୍ତ ବନୁଭଟା ଗାଁ ନିକଟରେ ସୁରକ୍ଷିତ ଅବସ୍ଥାରେ ଠାବ କରାଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ଉଭୟ ଯୁବକ ପାହାଡ଼ିଆ ଜଙ୍ଗଲରେ ରାସ୍ତା ଭୁଲିଯାଇଥିଲେ। ତେବେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସୁରକ୍ଷିତ ଥିବା ଜଣାପଡ଼ିଛି। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ପୁଅମାନଙ୍କୁ ସୁରକ୍ଷିତ ଫେରିପାଇ ପରିବାର ଲୋକେ ଭାବବିହ୍ୱଳ ହୋଇପଡ଼ିଥିବା ବେଳେ, ସଫଳ ସର୍ଚ୍ଚ ଅପରେସନ୍ ପାଇଁ ପ୍ରଶାସନ, ବନ ବିଭାଗ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।